ଭୁବନେଶ୍ୱର: ପୁଣି ରାଜଧାନୀରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ । ଇନଫୋସିଟି ଥାନା ଗଲ୍ଫ କ୍ଲବ୍ ଭିତରୁ ମୃତଦେହ ଉଦ୍ଧାର କଲା ପୋଲିସ । ମୃତକ ହେଲେ ଯାଜପୁର ବଡଚଣାର ରିତାରାଣି ରାଉତ । ଗଲ୍ଫ କ୍ଲବ୍ ଭିତରେ ଥିବା ଏକ ଆଉଟ ହାଉସରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଏନେଇ ମୃତଦେହ ବ୍ୟବଚ୍ଛେଦ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ଇନଫୋସିଟି ଥାନା ପୋଲିସ ।
ପୋଲିସ ଦେଇଥିବା ସୂଚନା ମୁତାବକ, ଗଲ୍ଫ କ୍ଲବ୍ ଭିତରେ ଥିବା ଆଉଟ ହାଉସର ଏକ ବନ୍ଦ ଘରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଥିବା ନେଇ ସକାଳୁ ଏକ ଖବର ମିଳିଥିଲା । ଖବର ପାଇ ମୃତଦେହ ନିକଟରେ ପହଞ୍ଚିଥିଲା ପିସିଆର ଟିମ୍ ଓ ଇନଫୋସିଟି ଥାନା ପୋଲିସ । ଆଉଟ ହାଉସ ଭିତରେ ଜଣେ ମହିଳା ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ପୋଲିସ । ତଦନ୍ତ ବେଳେ ମହିଳା ଜଣକ ଯାଜପୁର ବଡଚଣାର ରିତାରାଣୀ ରାଉତ ବୋଲି ଜାଣିବାକୁ ପାଇଥିଲା ପୋଲିସ । ମହିଳା ଜଣଙ୍କ ଗଲ୍ଫ କ୍ଲବରେ ରହି କାମ କରୁଥିବା ଜଣେ ବ୍ୟକ୍ତିଙ୍କ ପତ୍ନୀ ହୋଇଥିବା ବେଳେ ଦୀର୍ଘ ପାଞ୍ଚ ବର୍ଷ ପୂର୍ବେ ବିବାହ କରି ସ୍ବାମୀଙ୍କ ସହ ଗଲ୍ଫ କ୍ଲବରେ ରହି ଆସୁଥିଲେ । ପତି ଓ ପତ୍ନୀ ଉଭୟ ସେଠାରେ ଏକ ଆଉଟ ହାଉସରେ ରହୁଥିଲେ । ତାଙ୍କର 2 ଟି ପିଲା ମଧ୍ୟ ଅଛନ୍ତି ।
ତେବେ ସ୍ବାମୀ କାମ ପାଇଁ ଘରୁ ବାହାରି ଆସିଥିବା ବେଳେ ଛୁଆମାନେ ମନ୍ଦିରକୁ ଯାଇଥିଲେ । ସେପଟେ ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲା । ସେଠାରେ ତାଙ୍କର ପୋଷ୍ଟମର୍ଟମ ସରିଥିବା ବେଳେ ମହିଳା ଜଣଙ୍କ ଅନ୍ତସତ୍ତ୍ବା ଥିବା ଜଣାପଡିଛି । ତେବେ ମହିଳା ଜଣଙ୍କ ଏପରି ମୃତ୍ୟୁ ନେଇ ପୋଲିସ ପରିବାର ଲୋକଙ୍କୁ ପଚରାଉଚରା କରିଛି । ସେପଟେ ମୃତ ମହିଳା ଜଣକ ତାଙ୍କ ବାପା ଘର ପରିବାର ଲୋକଙ୍କ ସହ ଯୋଗାଯୋଗରେ ନଥିଲେ । ତେଣୁ ସେମାନେ କୌଣସି ସନ୍ଦେହ କରିନଥିବା ବେଳେ ମାନସିକ ଚାପ ଯୋଗୁଁ ଜୀବନ ହାରିଛନ୍ତି କିମ୍ବା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।