ଖୋର୍ଦ୍ଧା: ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ତିତ ପ୍ରଧାନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିଗନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରଥମେ ଶାସନ ସଚିବ ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସଂପର୍କରେ ସମୀକ୍ଷା କରିଥିଲେ । ସୁନେତ୍ର ଅଭିଯାନ ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟର ପ୍ରାୟ ୨ଲକ୍ଷ ପିଲାମାନଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହ ୩ ହଜାର ଦୁଇ ଶହ ପିଲାଙ୍କୁ ଚଷମା ପ୍ରଦାନ କରାଯାଇଛି । ଉକ୍ତ ଅଭିଯାନକୁ ଶାସନ ସଚିବ ପ୍ରଶଂସା କରିଥିଲେ ।
ସେହିଭଳି ବାଣପୁରରେ ଏକ ନୂତନ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିବା ବେଳେ ବାଲୁଗାଁରେ ଅନ୍ୟ ଏକ ସ୍ବାସ୍ଥ୍ୟ କେନ୍ଦ୍ର ଖୁବଶୀଘ୍ର କାର୍ଯ୍ୟ କରିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଆର୍ତ୍ତବନ୍ଧୁ ନାୟକ ସୂଚନା ଦେଇଥିଲେ । ସେହିପରି ଜିଲ୍ଲାରେ ୨୫୫୪ଟି ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟକ୍ଷମ ଥିବା ବେଳେ ସେଥିମଧ୍ୟରୁ ୧୯୯୭ଟି କେନ୍ଦ୍ର ନିଜସ୍ବ ଗୃହରେ ଚାଲୁଅଛି । କିଛି କେନ୍ଦ୍ରର ଜାଗା ଚିହ୍ନଟ ନିମନ୍ତେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ବେଳେ ଅନ୍ୟ ଗୁଡିକର ନିର୍ମାଣ କାର୍ଯ୍ୟ ଜାରି ରହିଛି । ସମସ୍ତ କେନ୍ଦ୍ରରେ ଗ୍ୟାସ ଚୁଲ୍ଲା ବ୍ୟବହାର କରାଯାଉଥିବା ବେଳେ ଆନୁଷଙ୍ଗିକ ବ୍ୟବସ୍ଥା ସୁଦୃଢ଼ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି । ବିଭିନ୍ନ କେନ୍ଦ୍ର ବୁଲି ତଥ୍ୟ ପ୍ରଦାନ କରିବାକୁ ଅଙ୍ଗନୱାଡି ସୁପରଭାଇଜର୍ ମାନଙ୍କୁ ନିର୍ଦ୍ଦେଶ ଦେବାକୁ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।