ଭୁବନେଶ୍ବର:ରାଜଧାନୀରେ ବିଲଡର ଅଫିସରେ ରିସେପସନିଷ୍ଟଙ୍କୁ ଛୁରାମାଡ ଘଟଣା । ଗିରଫ ହେଲା ଅଭିଯୁକ୍ତ ସ୍ବାମୀ । ବଡବାପାଙ୍କ ଶୁଦ୍ଧିକ୍ରିୟାରେ ସାମିଲ ନହେବାରୁ କ୍ରୋଧାନ୍ବିତ ହୋଇ ଆକ୍ରମଣ କରିଥିବା ସୂଚନା ରହିଛି । ବର୍ତ୍ତମାନ ଗୁରୁତର ଅବସ୍ଥାରେ ମହିଳାଙ୍କ ଚିକିତ୍ସା ଚାଲିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ଗତକାଲି (ସୋମବାର) ଭୁବନେଶ୍ବର ଭରତପୁର କୃତି ବନ୍ଧୁ ଆପାର୍ଟମେଣ୍ଟ ସ୍ଥିତ ଏକ ବିଲଡର ଅଫିସରେ କାର୍ଯ୍ୟରତ ଅବସ୍ଥାରେ ମହିଳା ରିସେପସନିଷ୍ଟଙ୍କୁ ଛୁରାମାଡ କରାଯାଇଥିଲା । ଛୁରାମାଡ କରିଥିବା ବ୍ୟକ୍ତି ଜଣଙ୍କ ମହିଳାଙ୍କ ସ୍ବାମୀ ହୋଇଥିବା ବେଳେ ପାରିବାରିକ କାରଣରୁ ଏଭଳି ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି । ସ୍ବାମୀଙ୍କ ବଡବାପାଙ୍କ ଶୁଦ୍ଧିକ୍ରିୟାରେ ସାମିଲ ନହେବାରୁ ଉତକ୍ଷିପ୍ତ ହୋଇ ସ୍ୱାମୀ ଜଣକ ସ୍ତ୍ରୀ ଉପରକୁ ଛୁରାମାଡ କରିଥିଲେ । ମହିଳାଙ୍କ ଶରୀରରେ ପାଖାପାଖି 5ର 6 ଥର ଆକ୍ରମଣ କରାଯାଇଛି ।
ସୂଚନା ଅନୁଯାୟୀ, ବିଲଡର ଅଫିସରେ କାର୍ଯ୍ୟ କରୁଥିବା ରିସେପସନିଷ୍ଟ ଜଣକ ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ମଧୁସ୍ମିତା ଦାସ । ମଧୁସ୍ମିତା ମାତ୍ର ଏକ ସପ୍ତାହ ତଳେ ଏହି ଅଫିସରେ ଯୋଗ ଦେଇଥିଲେ । ତାଙ୍କ ସ୍ବାମୀ ରୋଷେୟା ଭାବେ ରାଜ୍ୟ ବାହାରେ କାମ କରନ୍ତି । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିବା ବେଳେ ସ୍ତ୍ରୀ କିଛି ଦିନ ତଳେ ବାଲେଶ୍ବରରୁ ଆସି ଭୁବନେଶ୍ବରରେ ରହିଥିଲେ ଓ କୃତି ବନ୍ଧୁ ଆପାର୍ଟମେଣ୍ଟରେ ଏକ ବିଲଡର ଅଫିସରେ ରିସେପସନିଷ୍ଟ ଭାବେ କାର୍ଯ୍ୟ କରୁଥିଲେ ।