ଭୁବନେଶ୍ବର: ରାଜ୍ୟରେ ମୁଖ୍ୟ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରେ ଦୃଷ୍ଟିହୀନତା ଅନ୍ୟତମ । ଏହାର ଚିକିତ୍ସା, ନିରାକରଣ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ସୁନେତ୍ର ଯୋଜନା ମାଧ୍ୟମରେ ବିଭିନ୍ନ ସରକାରୀ ଚିକିତ୍ସାଳୟ ଗୁଡିକରେ ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ଏହି କ୍ରମରେ ପଶ୍ଚିମ ଓଡିଶାରେ ମଧ୍ୟ ଚକ୍ଷୁ ଜନିତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ କାର୍ଯ୍ୟ କରୁଥିବା ମହାନଦୀ ନେତ୍ର ଚିକିତ୍ସାଳୟକୁ ଆହୁରୀ ସୁଦୃଢ କରାଯିବ । ଏଥିପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ।
ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଆଜି ଭିସି ଜରିଆରେ ସୁବର୍ଣ୍ଣପୁର ଏବଂ ସମ୍ବଲପୁର ଜିଲ୍ଲାପାଳଙ୍କ ସହ ଜିଲ୍ଲାରେ ପରିଷଦର ଆର୍ଥିକ ଅନୁଦାନରେ ନିର୍ମାଣ କରାଯାଉଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଅସିତ । ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଏବଂ ମହାନଦୀ ନେତ୍ର ଚିକିତ୍ସାଳୟର ଅଧିକାରୀଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । 1 କୋଟି ଟଙ୍କା ବ୍ୟୟ ବରାଦରେ ଚିକିତ୍ସାଳୟର ଉନ୍ନତିକରଣ କରାଯିବ । ବର୍ତ୍ତମାନ ଚିକିତ୍ସାଳୟରେ 30 ଟି ଶଯ୍ୟା ଥିବାବେଳେ ଏହାକୁ 80 ଟି ଶଯ୍ୟା ବିଶିଷ୍ଟ କରାଯିବା ନେଇ ପ୍ରସ୍ତାବ ଦିଆଯାଇଛି । ଏହାସହ ଆଧୁନିକ ଚିକିତ୍ସା ଉପକରଣର ବ୍ୟବସ୍ଥା କରାଯିବା ସମେତ ପଶ୍ଚିମ ଓଡିଶାରେ ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ଏହା ଉତ୍କର୍ଷର କେନ୍ଦ୍ର ହେବ ବୋଲି ଅସିତ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ.....ବରଗଡ଼ ଗସ୍ତରେ WODC ଅଧ୍ୟକ୍ଷ ଅସିତ ତ୍ରିପାଠୀ