କେବେ ହେବ ଓଡିଶାରେ ବିଧାନସଭା ନିର୍ବାଚନ? ଭୁବନେଶ୍ବର: ବିଧାନସଭା ନିର୍ବାଚନ ଆଗାମୀ ଅଢେଇ ମାସରେ ହେବ । ଅକ୍ଟୋବର କିମ୍ବା ନଭେମ୍ବରରେ ହେବ ଓଡିଶାରେ ବିଧାନସଭା ନିର୍ବାଚନ । ଅଢେଇ ମାସ ଲାଗି ଆମେ ପ୍ରସ୍ତୁତ ଅଛୁ । କିନ୍ତୁ ସଂସଦ ନିର୍ବାଚନ ଠିକ ସମୟରେ ହେବ । ସଂସଦ ନିର୍ବାଚନ ଫଳାଫଳ ଲାଗି ମେ' ମାସ ଦ୍ଵିତୀୟ ସପ୍ତାହକୁ ଅପେକ୍ଷା କରିବାକୁ ପଡିବ । ଏହା କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନମୋହନ ଗଣମାଧ୍ୟମରେ ଦେଇଥିବା ଏହି ପ୍ରତିକ୍ରିୟା ପରେ ରାଜ୍ୟରେ ଅଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଜେଡି ଓ ବିଜେପି ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ସେପଟେ କଂଗ୍ରେସ ବିଧାୟକଙ୍କ ବୟାନ, ବିଜେଡି ଓ ବିଜେପି ମଧ୍ୟରେ ଡିଲ ହୋଇଥିବାରୁ ଆଗୁଆ ନିର୍ବାଚନ କଥା କହୁଛନ୍ତି ମନମୋହନ ।
ଏହାବି ପଢନ୍ତୁ - ୨୫ ବର୍ଷରେ ବିଜେଡି କିଛି କରିନି, ୫ ବର୍ଷ ବିଜେପି ସରକାରରେ ଆସିଲେ ତାହାଠୁ ଅଧିକ କରିବ: ମନମୋହନ ସାମଲ
ରାଜ୍ୟରେ ହେବ କି ଆଗୁଆ ବିଧାନସଭା ନିର୍ବାଚନ ? ଯଦି ଆଗୁଆ ହୁଏ, ତେବେ କେବେ ହେବ ନିର୍ବାଚନ ? 2023 ଶେଷରେ ନା 2024 ପ୍ରାରମ୍ଭରେ ହେବ ନିର୍ବାଚନ ? ଏହି ପ୍ରଶ୍ନ ରାଜନୈତିକ ମହଲରେ ଏବେ ଏକ ବଡ଼ ପ୍ରସଙ୍ଗ ହୋଇଛି । ଆଗୁଆ ନିର୍ବାଚନ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା ପରେ ଆରମ୍ଭ ହୋଇଯାଇଛି ଏହି ବଡ଼ ବିତର୍କ । ମନମୋହନ ଆଗୁଆ ନିର୍ବାଚନ ନେଇ ରାଜନୈତିକ ଗୁଗୁଲି ଫିଙ୍ଗିଛନ୍ତି ନା ଏହା ପଛରେ କିଛି ଆଧାର ରହିଛି ତାହା ଜଣାପଡିନାହିଁ । ତେବେ ଆଗୁଆ ନିର୍ବାଚନ ନେଇ ମନମୋହନ କିଛି ସୁରାକ ପାଇଥିବା ଚର୍ଚ୍ଚା ହେଉଛି । ନହେଲେ ମନମୋହନ ଭଳି ଜଣେ ବରିଷ୍ଠ ତଥା ଅନୁଭବୀ ନେତା ଏହି ପ୍ରତିକ୍ରିୟା ଦେଇନଥାନ୍ତେ । ରାଜ୍ୟ ସରକାର ତଥା ବିଜେଡିର ପ୍ରସ୍ତୁତି ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଆଗୁଆ ନିର୍ବାଚନ ଆକଳନକୁ ଖୋରାକ ଯୋଗାଉଛି । ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଆମେ ନିର୍ବାଚନ ଲାଗି ପ୍ରସ୍ତୁତ ଅଛୁ ।
ଏହାବି ପଢନ୍ତୁ- ବିକାଶ ନେଇ ଶ୍ବେତପତ୍ର ଜାରି କରନ୍ତୁ ରାଜ୍ୟ ସରକାର; ଶତ ପ୍ରତିଶତ ଫଳପ୍ରଦ ହେବ ଗୌହାଟୀ ରଣନୀତି: ମନମୋହନ
ନିର୍ବାଚନକୁ ଦୃଷ୍ଟିରେ ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସର୍ବଦଳୀୟ ବୈଠକ ଡାକି ତାଲିକା ସଂଶୋଧନ ସହ ସଠିକ ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସେହିପରି ମାଷ୍ଟରର ଟ୍ରେନରଙ୍କ ଚୟନ ଓ ତାଲିମ କାର୍ଯ୍ୟ ମଧ୍ୟ ଶେଷ ହୋଇଛି ।
ବିଜେଡି ବିଧାୟକ ପ୍ରତାପ ଜେନା କହିଛନ୍ତି, "ବିଜେଡି ପାଇଁ ନିର୍ବାଚନ କେବେ ବି ଆହ୍ୱାନ ନୁହେଁ । ସବୁବେଳେ ଲୋକଙ୍କ ସହ ରହି କାମ କରୁଛୁ । ଓଡିଶାର ବିକାଶ ଆମର ଏକମାତ୍ର ଲକ୍ଷ୍ୟ ହୋଇଥିବାରୁ ଓଡ଼ିଶାବାସୀଙ୍କ ଆଶୀର୍ବାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଓ ବିଜେଡି ସହ ଅଛି । ବିଜେଡି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ।"
ସେହିପରି କଂଗ୍ରେସ ବିଧାୟକ କହିଛନ୍ତି, "ବିଜେଡି ଓ ବିଜେପି ମଧ୍ୟରେ ଡିଲ ହୋଇଥିବାରୁ ମନମୋହନ ଆଗୁଆ ନିର୍ବାଚନ କଥା କହୁଛନ୍ତି । ଏ ନେଇ ଦିଲ୍ଲୀରେ ବିଜେପି-ବିଜେପି ମଧ୍ୟରେ କଥାବାର୍ତ୍ତା ସରିଛି । ବିଜେପି ଯେଉଁଠି ଜିତିବାକୁ ଚାହିଁବ ବିଜେଡି ସେଠାରେ ଦୁର୍ବଳ ପ୍ରାର୍ଥୀ ଦେବ । ତୁରନ୍ତ ନିର୍ବାଚନ କଲେ ବିଜେଡି ଓ ବିଜେପି ଭାଗବଣ୍ଟା କରି ମିଳିତ ସରକାର କରିବେ । ଯଦି ଆସନ୍ତାକାଲି ମଧ୍ୟ ନିର୍ବାଚନ ହୁଏ ତାହାଲେ କଂଗ୍ରେସ ଲଢେଇ ପାଇଁ ପ୍ରସ୍ତୁତ ଅଛି । ଆମେ କାହା ସହ ଡିଲ କରିନୁ, ଏକୁଟିଆ ଲଢ଼ିବୁ ।"
ରାଜ୍ୟରେ ଆଗୁଆ ନିର୍ବାଚନ ନା ନିର୍ଦ୍ଧାରିତ ସମୟରେ ହେବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ । ସେହିପରି ମନମୋହନ ଆଗୁଆ ନିର୍ବାଚନ କଥା ରାଜନୈତିକ ଗୁଗୁଲି ନା ଆକଳନରେ ସତ୍ୟତା ରହିଛି ତାହା ମଧ୍ୟ ସ୍ପଷ୍ଟ ହେବ ।
ଇଟିଭି ଭାରତ, ଭୁବନେଶ୍ବର