ଭୁବନେଶ୍ବର:ଚଳିତ ବର୍ଷ ପୁରୁଣା ଷ୍ଟେସନ ବଜାରରେ 'ୱେଲକମ୍ କୋଲକାତା'ର ତୋରଣ । ସାର୍ବଜନୀନ ଦୁର୍ଗାପୂଜା ସମିତିରେ ଚଳିତ ଥର ଏଭଳି ଆକର୍ଷଣୀୟ ତୋରଣ କରାଯିବ । ରାଜଧାନୀରେ ଶାରଦୀୟ ଦୁର୍ଗା ପୂଜା ପ୍ରସ୍ତୁତି ଜୋର ଧରିଥିବା ବେଳେ ମା'ଙ୍କ ଆବାହନ ପାଇଁ ଅପେକ୍ଷା କରିଛନ୍ତି ରାଜଧାନୀବାସୀ । ପୂଜାକୁ ସରସ ସୁନ୍ଦର କରିବା ପାଇଁ ସହରର ବିଭିନ୍ନ ଦୁର୍ଗା ମଣ୍ଡପରେ ଶିଳ୍ପୀ ଓ କାରିଗର ନିମଗ୍ନ । ପ୍ରମୁଖ ପୂଜାମଣ୍ଡପ ପୁରୁଣା ଷ୍ଟେସନ ବଜାର ସାର୍ବଜନୀନ ଦୁର୍ଗାପୂଜା ସମିତିରେ ଚଳିତ ଥର ଶୋଭା ପାଇବ 'ୱେଲକମ୍ କୋଲକାତା'ର ତୋରଣ । ଆଉ ଭିତରେ ରହିବ ଲୀନ ହୋଇଯାଥିବା ଦ୍ୱାରିକାର ଭ୍ରମ । ତେବେ ୧୯୫୫ ମସିହାରେ ଆରମ୍ଭ ହୋଇଥିବା ଏହି ମଣ୍ଡପର ଦୁର୍ଗୋତ୍ସବ ୬୮ ବର୍ଷରେ ପହଞ୍ଚିଛି ।
ଦୀର୍ଘ ବର୍ଷର ଏହି ପୂଜା ମଣ୍ଡପ ସବୁବେଳେ ନିଆରା କଳାକୃତିକୁ ପାଇଁ ଚର୍ଚ୍ଚାରେ ରହିଥିବା ବେଳେ ସୋଲେ, ଭୂତକୋଠି, ହ୍ୟାରୀପୋଟର ଏବଂ ଉତ୍ତରପ୍ରଦେଶର ବନାରସ୍ ଘାଟ୍ ଭଳି ବିଭିନ୍ନ ସମୟରେ ଆଖିଦୃଶିଆ ତୋରଣ ନିର୍ମାଣ କରାଯାିଥାଏ । ଏଥର ପୁଣି ଆଉ ପାଦେ ଆଗେଇ ଭିନ୍ନ ଝଲକ ଦେଖାଇବା ପାଇଁ କର୍ମକର୍ତ୍ତାଙ୍କ ଉଦ୍ୟମ ଆରମ୍ଭ ହୋଇଛି । ତୋରଣରେ 'ୱେଲକମ୍ କୋଲକାତା' ସ୍ଥାନ ପାଇବାକୁ ଯାଉଛି । ସେହିଭଳି ପୂଜାମଣ୍ଡପ ଆଭ୍ୟନ୍ତରୀଣ ଭାଗରେ ସମୁଦ୍ରଗର୍ଭରେ ଲୀନ ହୋଇ ଯାଇଥିବା ଦ୍ୱାରିକା ନଗରୀର ନିଛକ ଦୃଶ୍ୟ ଆଙ୍କିବେ ୪୦ ଓଡ଼ିଆ କାରିଗର ।
ଏହା ହିଁ ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ବୋଲି କର୍ମକର୍ତ୍ତାମାନେ କହିଛନ୍ତି । ସବୁବର୍ଷ ଭଳି ଏଥର ବି ଭୁବନେଶ୍ୱରର ଓଡ଼ିଆ କଳା ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ବେହେରା ଓ ଟିମ୍ ତୋରଣ ନିର୍ମାଣ ଦାୟିତ୍ୱରେ ରହିଛନ୍ତି । ମେଢ ସହ ମୂର୍ତ୍ତିର ଉଚ୍ଚତା ୧୮ ଫୁଟ୍ ରହିବ । ଅଢ଼େଇ କିଲୋ ସୁନା ଅଳଙ୍କାର ୨ କୁଇଣ୍ଟାଲ ଓଜନର ଚାନ୍ଦି ଅଳଙ୍କାରରେ ମହାମାୟୀ ଓ ପାର୍ଶ୍ବ ଦେବଦେବୀଙ୍କୁ ସଜାଯିବ । ଅନ୍ୟପଟେ ଗହଳି ସମୟରେ ଅସାମାଜିକ ଲୋକଙ୍କ ଉପରେ ନଜର ରଖିବାକୁ ମଣ୍ଡପରେ ୪୦ଟି ସିସିଟିଭି କ୍ୟାମେରା ଲାଗିବ । ଚଳିତବର୍ଷ ପୂଜା ବଜେଟ୍ ୬୦ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିବା ସମିତି ପକ୍ଷରୁ କୁହାଯାଇଛି ।