ଭୁବନେଶ୍ବର:ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲକାରୁ ମାଧ୍ୟମ ଧରଣର ବର୍ଷା ହେବା ସହ ମେଘୁଆ ପାଗ ଦେଖିବାକୁ ମିଳିଛି । ପଶ୍ଚିମା ଝଡ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି । ଏଥିସହ ବିଭିନ୍ନ ଜିଲ୍ଲାରେ ୪୦ରୁ ୪୫ କିମି ପବନ ମଧ୍ୟ ବହିଛି । ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । କୋରାପୁଟ ଜିଲ୍ଲା ଲମାତାପୁଟରେ ସର୍ବାଧିକ ୬୮.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆଗାମୀ ୨୪ ଘଣ୍ଟାରେ ପଶ୍ଚିମା ଝଡର ପ୍ରଭାବ ଅତ୍ୟଧିକ ଦେଖାଇବ ବୋଲି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଅନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବ ।
ସେହିପରି କେନ୍ଦୁଝର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ନୟାଗଡ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପଶ୍ଚିମା ଝଡ଼ର ପ୍ରଭାବରେ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବିଶେଷ ଭାବେ ଏହି ସମୟରେ ପବନର ବେଗ ୪୦ରୁ ୪୫ କିମି ବହିବାର ମଧ୍ୟ ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ । ସେହିପରି ୧୮ ତାରିଖରୁ ବର୍ଷାର ବିସ୍ତୃତି ବଢିବ ।