ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତି ସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି । ବର୍ତ୍ତମାନ ପାଗରେ କୌଣସି ପରିବର୍ତ୍ତନ ନଥିବା ବେଳେ ୧୧ ଜୁନ ପରେ ପାଣିପାଗ ମିଜାଜ ବଦଳିପାରେ । ବାୟୁ ମଣ୍ଡଳରେ ୧.୫ କିମି ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାସହ ଦୁଇଟି ନିମ୍ନ ଚାପରେଖା ବାୟୁମଣ୍ଡଳରେ ରହିଛି । ପାଣିପାଗ ନିୟାମକ ଅନୁସାରେ ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।
ସକ୍ରିୟ ଘୂର୍ଣ୍ଣିବଳୟ ଓ ନିମ୍ନ ଚାପରେଖା ଯୋଗୁଁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟେ ଦୁଇଟି ସ୍ଥାନରେ କୁଆପଥର ବର୍ଷାର ସମ୍ଭାବନା ରହିଛି । ବିଶେଷ ଭାବେ କଳାହାଣ୍ଡି, ନବରଙ୍ଗପୁର, ରାୟଗଡା, କୋରାପୁଟ, ଗଞ୍ଜାମ, ଗଜପତି, କନ୍ଧମାଳ ସମେତ ୨୩ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏହି ସମୟରେ ପବନର ବେଗ ୪୦ ରୁ ୫୦ କିମି ମଧ୍ୟରେ ରହିବ । ଆସନ୍ତାକାଲି ମଧ୍ୟ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷାକୁ ଦୃଷ୍ଟିରେ ରଖି ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।