ଭୁବନେଶ୍ବର: ଗୋଟିଏ ପଟେ ଗ୍ରୀଷ୍ମ ପ୍ରବାହ ଲାଗି ଅସହ୍ୟ ହେଉଛି ଗୁଳୁଗୁଳି । ଅନ୍ୟପଟେ ତାଣ୍ଡବ ରଚୁଛି କାଳବୈଶାଖୀ । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଝଡ଼ବତାସ ସାଙ୍ଗକୁ କୂଆପଥର ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏହି ସମୟରେ ପବନର ବେଗ ୪୦ରୁ ୫୦ କିମି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ରାଜ୍ୟରେ ଦିନ ବେଳା ପ୍ରଚଣ୍ଡ ଖରା ହେଉଥିବା ବେଳେ ଅପରାହ୍ନରେ ପ୍ରବଳ ବର୍ଷା ହେଉଛି । ଦୁର୍ବଳ ହୋଇଥିବା କାଳବୈଶାଖୀ ସକ୍ରିୟ ହେବାପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ତେବେ କାଳବୈଶାଖୀ ବର୍ଷାକୁ ଦୃଷ୍ଟିରେ ରାଜ୍ୟର ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ କୂଆପଥର ବର୍ଷାକୁ ନେଇ ସତର୍କ ସୂଚନା ଦିଆଯାଇଛି । ସେହିପରି ପାଣିପାଗର ନିୟାମକକୁ ଦେଖି ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲାଗୁଡ଼ିକ ହେଲା ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ, ରାୟଗଡ଼ା, ମାଲକାନଗିରି, କୋରାପୁଟ । ଆସନ୍ତାକାଲି ରାଜ୍ୟର କିଛି ଅଞ୍ଚଳ ସମେତ ଉପକୂଳ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ପବନ ସହ କେତେକ ସ୍ଥାନରେ କୂଆପଥର ବର୍ଷାର ସମ୍ଭାବନା ମଧ୍ୟ ଅଛି ।