ଭୁବନେଶ୍ବର: ଆସନ୍ତାକାଲି(ମଙ୍ଗଳବାର) ବଙ୍ଗୋପସାଗରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ପୁଣି ବଡ଼ ବର୍ଷା ହେବ । ଆଜି ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକ ହେଲେ ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, ନୟାଗଡ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ବାଲେଶ୍ବର । ଏହିସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ୧୨ ତାରିଖ (ମଙ୍ଗଳବାର) ଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ୧୨ ଓ ୧୩ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ପାଣିପାଗ ବିଭାଗର ସୂଚନା ମୁତାବକ, ୧୨ ତାରିଖ ବେଳକୁ ଉତ୍ତରପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ମଙ୍ଗଳବାର ଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ୧୩ ତାରିଖରେ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ୧୨ ଓ ୧୩ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ପୁରୀ, ବୌଦ୍ଧ, ଅନୁଗୋଳ, ଜଗତସିଂହପୁର, କଟକ, ଢେଙ୍କାନାଳ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଏହିସବୁ ଜିଲ୍ଲା ଗୁଡିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।