ଭୁବନେଶ୍ବର:ଭାରତ ତଥା ବିଶ୍ଵସ୍ତରୀୟ ବହୁ ଅଗ୍ରଣୀ ଶିଳ୍ପପତିଙ୍କୁ ନେଇ ମେକ୍ ଇନ୍ ଓଡ଼ିଶା କନକ୍ଲେଭର(Make in Odisha Conclave 2022) ଆୟୋଜନ ହୋଇଛି । ଓଡ଼ିଶା ନିଜର ପ୍ରଗତି ଦ୍ଵାରା କିଭଳି ଭାରତର ଅନ୍ୟତମ ପ୍ରମୁଖ ନିବେଶସ୍ଥଳ ଭାବରେ ନିଜକୁ ପ୍ରମାଣିତ କରିପାରିଛି, କନକ୍ଲେଭରେ ତାହା ପ୍ରଦର୍ଶିତ କରାଯାଇଛି । କାର୍ଯ୍ୟକ୍ରମରେ ଭାରତୀୟ ବୈଷୟିକ ଇକୋସିଷ୍ଟମ୍ର କେତେକ ପ୍ରମୁଖ ନାମ ତଥା ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି କ୍ଷେତ୍ରରେ କେତେକ ବଡ଼ କମ୍ପାନୀ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଇ ଏବଂ ଆଇଟି(E&IT) ସଚିବ ମନୋଜ କୁମାର ମିଶ୍ର ଏବଂ ଏସଟିପିଆଇର ନିର୍ଦ୍ଦେଶକ ମାନସ ପଣ୍ତା ମଧ୍ୟ ନିଜ ନିଜର ବକ୍ତବ୍ୟରେ ଏହି ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି ।
ମନୋଜ ମିଶ୍ର କହିଛନ୍ତି ଯେ, ''ଏହା ହେଉଛି ନୂତନ ଓଡ଼ିଶା । ଯେଉଁଠାରେ ଆମେ ପ୍ରଶାସନିକ ନିଷ୍ପତ୍ତିକୁ ବ୍ୟବସାୟ ମଡେଲ ପରି ବେଗବାନ କରିପାରିଛୁ । ରାଜ୍ୟରେ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ଆଇଟି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବହୁତ କମ୍ କ୍ଷେତ୍ର ରହିଛି ଯାହାକି ଯେକୌଣସି ଅର୍ଥନୀତି ଉପରେ ଆଇଟିର ବହୁଗୁଣ ପ୍ରଭାବ ସହିତ ମେଳ ଖାଇପାରିବ ।''
ନିବେଶକ ଶିଖର ସମ୍ମିଳନୀରେ ଓଡ଼ିଶା ସରକାରଙ୍କ ସହିତ ଇଣ୍ଟେଲ୍, ଆଡୋବ୍ ଏବଂ ଇପିଆଇସି ଫାଉଣ୍ଡେସନ୍ ପକ୍ଷରୁ ଏମଓୟୁ ସ୍ୱାକ୍ଷର କରାଯାଇଛି । କମ୍ପାନୀଗୁଡ଼ିକ ମଧ୍ୟରେ ବିଭିନ୍ନ ସହଯୋଗ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରି ଓଡ଼ିଶାକୁ ଭାରତର ଅନ୍ୟତମ ପ୍ରତିଷ୍ଠିତ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଜ୍ୟ ଭାବରେ ପରିଣତ କରିବାକୁ ରାଜ୍ୟ ସରକାରଙ୍କ ଯୋଜନା କରିଛନ୍ତି । ଇପିଆଇସି ଫାଉଣ୍ଡେସନ୍ ଅର୍ଥ ବିନିଯୋଗ କରିବାର ସମ୍ଭାବନା ରହିଛି । ଟ୍ୟାବଲେଟ୍-ପିସି ଭଳି ଇଲେକ୍ଟ୍ରୋନିକ୍ସ ଉତ୍ପାଦ କ୍ଷେତ୍ରରେ ରାଜ୍ୟର ଉତ୍ପାଦନ କ୍ଷମତା ବୃଦ୍ଧି ଦିଗରେ ଗୁରୁତ୍ୱାରୋପ କରାଯାଇଛି । ଓଡ଼ିଶାର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷାବିତମାନଙ୍କର ଡିଜିଟାଲ ସାକ୍ଷର ଦକ୍ଷତାକୁ ଉନ୍ନତ କରିବା ଦିଗରେ ଆଡୋବ ବିନିଯୋଗ କରିବ ବୋଲି ଆଶା କରାଯାଉଛି । ଫଳରେ ପ୍ରତିବର୍ଷ ବହୁ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି ହୋଇପାରିବ ।
ଓଡ଼ିଶା ସରକାରଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଉପରେ ମନ୍ତବ୍ୟ ଦେଇ ଆଡୋବ ଇଣ୍ଡିଆର ଏମଡି ଏବଂ ଭିପି ପ୍ରତିଭା ମହାପାତ୍ର କହିଛନ୍ତି ଯେ, ‘‘ଗତ କିଛି ବର୍ଷର ଗଭୀର ପରିବର୍ତ୍ତନ ଭାରତରେ ‘ଡିଜିଟାଲ ଅର୍ଥନୀତି’ ଏବଂ ‘ସୃଷ୍ଟିକର୍ତ୍ତା ଅର୍ଥନୀତି’ର ଅଭିବୃଦ୍ଧିକୁ ଉତ୍ସାହିତ କରିଛି । ଡିଜିଟାଲ ଅନୁଭୂତି ମାଧ୍ୟମରେ ବିଶ୍ୱକୁ ପରିବର୍ତ୍ତନ କରିବାର ଆଡୋବ ମିଶନକୁ ପୂର୍ବାପେକ୍ଷା ଅଧିକ ପ୍ରାସଙ୍ଗିକ କରିଛି । ଓଡ଼ିଶା ସରକାରଙ୍କ ସହ ଆମର ବୁଝାମଣାପତ୍ର ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ରାଜ୍ୟରେ ଆଡୋବ ଏକ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ସ୍କିଲିଂ ଇକୋସିଷ୍ଟମ୍ ଚଳାଇବ । ଯାହା ଉଚ୍ଚ ଶିକ୍ଷାନୁଷ୍ଠାନରେ ଶିକ୍ଷାବିତଙ୍କ ବୃତ୍ତିଗତ ବିକାଶ କରିବ । ଏହାସହିତ ୧୦୦ଟି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ କୁଶଳୀ କରିବାରେ ସହଯୋଗ କରିବ । ଏହା ଓଡ଼ିଶାକୁ ଦେଶରେ ଏକ ସର୍ବୋଚ୍ଚ ପ୍ରତିଭା କେନ୍ଦ୍ର କରିବାରେ ସାହାଯ୍ୟ କରିବ ।''
ଇଣ୍ଟେଲ ଏବଂ ସରକାର ରାଜ୍ୟର ଡିଜିଟାଲ ପ୍ରସ୍ତୁତି ତଥା ସଂଯୋଗରେ ଉନ୍ନତି ଆଣିବା ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାର ସଂସ୍ପର୍ଶରେ ଆସି ବିଭିନ୍ନ କ୍ଷେତ୍ରରେ ସହଯୋଗ କରିବାର ସମ୍ଭାବନା ରହିଛି । ସେମାନଙ୍କର ସମ୍ଭାବ୍ୟ ବିନିଯୋଗରେ ପ୍ରତିବର୍ଷ ଉଚ୍ଚ-ଦକ୍ଷତାସମ୍ପନ୍ନ ନିଯୁକ୍ତି ସୃଷ୍ଟି ହେବ । ନିକଟରେ, ଡେଲୋଏଟ୍ ରାଜ୍ୟରେ ଏକ ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବାକୁ ମଧ୍ୟ ଘୋଷଣା କରିଛି । ଯାହା ପ୍ରାୟ ୧୫୦୦ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବ । ଏହା ସହିତ ୨୦୨୪ ସୁଦ୍ଧା ୬୦୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଶିଷ୍ଟ ଶିଳ୍ପପତିମାନେ କ୍ରମାଗତ ପରିବର୍ତ୍ତନଶୀଳ ସମୟରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟିରେ ଭବିଷ୍ୟତର ବୈଷୟିକ ଏବଂ ନିବେଶ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ମେକ୍ ଇନ ଓଡ଼ିଶା କନକ୍ଲେଭରେ ବିଶ୍ୱ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରର ଶୀର୍ଷ ନେତୃବର୍ଗ ସାମ୍ପ୍ରତିକ ପରିବର୍ତ୍ତନଶୀଳ ସମୟରେ ସୂଚନା ପ୍ରଯୁକ୍ତି ବିଦ୍ୟାର ବିକାଶଶୀଳ ତଥା ପରିବର୍ତ୍ତନ-ଅଭିମୁଖୀ ଭୂମିକା ଉପରେ ସେମାନଙ୍କ ମତାମତ ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ନେତୃସ୍ଥାନୀୟ ବ୍ୟବସାୟୀମାନଙ୍କ ମଧ୍ୟରେ ‘‘କ୍ରମାଗତ ବ୍ୟାଘାତପୂର୍ଣ୍ଣ ଯୁଗରେ ସୂଚନା ପ୍ରଯୁକ୍ତିବିଦ୍ୟାର ପୁନଃ ପରିକଳ୍ପନା’’ ଶୀର୍ଷକ ଆଲୋଚନା କରାଯାଇଛି ।