ଭୁବନେଶ୍ବର: ତିନି ଲକ୍ଷ କିମ୍ବା ଅଧିକ ଜନସଂଖ୍ୟା ଥିବା ପୌରାଞ୍ଚଳରେ ଗଠନ ହେବ ୱାର୍ଡ କମିଟି । କମିଟି ହାତରେ ରହିବ ବାର୍ଷିକ ବଜେଟ ପ୍ରସ୍ତୁତି ଦାୟିତ୍ବ । ଏହାସହିତ ବିପର୍ଯ୍ୟୟ ମୁକାବିଲା ପଦକ୍ଷେପ ମଧ୍ୟ କମିଟି ନେବ । ରାଜ୍ୟର ସହରାଞ୍ଚଳରେ ଜନସଂଖ୍ୟା ଦ୍ରୁତ ହାରରେ ବଢ଼ିବାରେ ଲାଗିଛି । ଏହାକୁ ତାଳ ଦେଇ ବିଭିନ୍ନ ପୌରାଞ୍ଚଳରେ କାର୍ଯ୍ୟର ଭାର ମଧ୍ୟ ବୃଦ୍ଧି ପାଉଛି । ପୌରାଞ୍ଚଳର ବିକାଶ କାର୍ଯ୍ୟରେ ଗୋଷ୍ଠି ଗୁଡିକୁ ସାମିଲ ପାଇଁ ଗୁରୁତ୍ବ ଦିଆଯାଉଛି । ଏହାକୁ ଦୃଷ୍ଟିରେ ରଖି ତିନି ଲକ୍ଷ କିମ୍ବା ଏହା ଠାରୁ ଅଧିକ ଜନସଂଖ୍ୟା ଥିବା ପୌରାଞ୍ଚଳରେ ୱାର୍ଡ କମିଟି ଗଠନ ଲାଗି ନିଷ୍ପତ୍ତି ମଧ୍ୟ ହୋଇଛି । ଯାହାକୁ ରାଜ୍ୟ କ୍ୟାବିନେଟ ମୋହର ମାରିସାରିଛି । ତଦନୁଯାୟୀ ଗଠନ ହେବାକୁ ଥିବା ୱାର୍ଡ କମିଟି ପୌରାଞ୍ଚଳ ପାଇଁ ବାର୍ଷିକ ବଜେଟ୍ ପ୍ରସ୍ତୁତରେ ସହାୟତା କରିବେ ।
ବଜେଟ୍ ପ୍ରସ୍ତୁତ ସମୟରେ ବସ୍ତି ବାସିନ୍ଦା ସଂଘର ପ୍ରସ୍ତାବକୁ ବିଚାରକୁ ନେବେ । ସେମାନଙ୍କ ବସ୍ତିରେ କି ପ୍ରକାର କାର୍ଯ୍ୟ ବା ବିକାଶ ଆବଶ୍ୟକ ତାହା ବସ୍ତିବାସିନ୍ଦାମାନେ କମିଟିକୁ ଅବଗତ କରିବେ । ସେଥିପାଇଁ ବଜେଟରେ ବ୍ୟବସ୍ଥା ହେବ । ବଜେଟ ପ୍ରସ୍ତୁତ ସହିତ ବାର୍ଷିକ କାର୍ଯ୍ୟ ଯୋଜନା ପ୍ରସ୍ତୁତରେ ମଧ୍ୟ ୱାର୍ଡ କମିଟି ପ୍ରମୁଖ ଭୂମିକା ଗ୍ରହଣ କରିବ । ରାଜ୍ୟ ସରକାର ଏବେ ପୌରାଞ୍ଚଳରେ ବିପର୍ଯ୍ୟୟ ମୁକାବିଲା ପାଇଁ ପୌରସଂସ୍ଥା ଉପରେ ଗୁରୁତ୍ବ ଦେଉଛନ୍ତି । ପ୍ରସ୍ତାବିତ ୱାର୍ଡ କମିଟି ଏ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ୱାର୍ଡ କମିଟିର ସଦସ୍ୟମାନଙ୍କୁ ବାତ୍ୟା, ବର୍ଷା ଜନିତ ସହରାଞ୍ଚଳ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ତାଲିମ ପ୍ରଦାନ କରାଯିବ ।