ଭୁବନେଶ୍ବର:ସ୍କୁଲର କାନ୍ଥରେ ରହିବ ପିଏମ ପୋଷଣର ସମସ୍ତ ତଥ୍ୟ । ସାପ୍ତାହିକ ମେନୁ ସମେତ ଟୋଲ ଫ୍ରି ନମ୍ବର ଆଦି ରହିବ । ଯାହାକୁ ନେଇ ଅନେକ ସମୟରେ ସଚେତନତା ସୃଷ୍ଟି କରାଯାଇପାରି ବ। ଏହାକୁ ନେଇ ପିଏମ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ଆର ରଘୁରାମ ଆୟର ସମସ୍ତ ଜିଲ୍ଲା ଡିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ହାଇସ୍କୁଲ ଗୁଡ଼ିକର ରୂପାନ୍ତରିକରଣ କରାଯାଇଛି । ହେଲେ PM POSHAN ସହିତ ଜଡିତ ଅନେକ ପେଣ୍ଟିଂ ଉଭେଇ ଯାଇଛି । ତେଣୁ ଏହାକୁ ପୁନର୍ବାର କରିବାକୁ ପ୍ରତ୍ୟେକ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୫ ହଜାର ଟଙ୍କା ମଞ୍ଜୁରୀ କରାଯାଇଛି । ଏହା ସର୍ବସାଧାରଣ ଦେଖିପାରିବା ନେଇ ବିଦ୍ୟାଳୟ କାନ୍ଥର ଏକ ଦୃଷ୍ଟାନ୍ତ ମୂଳକ ସ୍ଥାନରେ PM POSHAN ସୂଚନା ରହିବା ଆବଶ୍ୟକ । ଯାହାକୁ ନେଇ ରାଜ୍ୟର ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେମାନେ ତୁରନ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଦେଶ ଦେଇ ଯଥା ଶୀଘ୍ର କରିବେ ।
ତେବେ ସପ୍ତାହିକ ଖାଦ୍ୟ ବିବରଣୀରେ ସୋମବାର ଦିନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ଡାଲମା। ମଙ୍ଗଳବାର ଦିନ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ସୋୟା ବଡ଼ି ତରକାରୀ । ବୁଧବାର ଦିନ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ଅଣ୍ଡା ତରକାରୀ । ଗୁରୁବାର ଦିନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ଡାଲମା । ଶୁକ୍ରବାର ଦିନ ପ୍ରଥମରୁଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ସୋୟା ବଡ଼ି ତରକାରୀ । ଶନିବାର ଦିନ ପ୍ରଥମରୁଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ଅଣ୍ଡା ତରକାରୀ ରହିଛି । ସେହିପରି ସାମଗ୍ରୀ ମୂଲ୍ୟ ପ୍ରାଥମିକ ସ୍ତରରେ ୫ ଟଙ୍କା ୯୦ ପଇସା ଓ ଉଚ୍ଚ ପ୍ରାଥମିକ ସ୍ତରରେ ୮ ଟଙ୍କା ୮୨ ପଇସା ରହିଛି । ଚାଉଳ ପ୍ରାଥମିକ ସ୍ତରରେ ୧୦୦ ଗ୍ରାମ ଓ ଉଚ୍ଚ ପ୍ରାଥମିକ ସ୍ତରରେ ୧୫୦ ଗ୍ରାମ । କ୍ୟାଲୋରୀ ପ୍ରାଥମିକ ସ୍ତରରେ ୪୯୩.୬୩ ଓ ଉଚ୍ଚ ପ୍ରାଥମିକ ସ୍ତରରେ ୭୨୮.୬୭ । ପୁଷ୍ଟିକର ପ୍ରାଥମିକ ସ୍ତରରେ ୧୩.୮ ଗ୍ରାମ ଓ ଉଚ୍ଚ ପ୍ରାଥମିକ ସ୍ତରରେ ୨୦.୫ ଗ୍ରାମ ଇତ୍ୟାଦି ବିବରଣୀରେ ଲେଖାଯିବ ।