ଭୁବନେଶ୍ବର:ମେଟ୍ରୋ ପ୍ରକଳ୍ପକୁ ନେଇ ଜୋର ଧରିଲା ରାଜନୀତି । 2024 ଜାନୁଆରୀ ପହିଲା ଦିନ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଏନେଇ କଟକ-ଭୁବନେଶ୍ବରକୁ ସଂଯୋଗ କରୁଥିବା ମେଟ୍ରୋ ରେଳ ପ୍ରକଳ୍ପ କାମ ସମୀକ୍ଷା କରିଛନ୍ତି 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଭୋର 4.30 ସମୟରେ ସେ ମେଟ୍ରୋ ରେଳ ଷ୍ଟେସନ terminal ପ୍ରକଳ୍ପ ପାଇଁ ପ୍ରସ୍ତାବିତ ସ୍ଥାନ ଓ ତ୍ରିଶୂଳିଆ ଛକ ଡିପୋ ବୁଲି ଦେଖିଛନ୍ତି । କଟକ ଓ ଭୁବନେଶ୍ବର ପାଇଁ ତ୍ରିଶୂଳିଆ ପରିବହନର ମୁଖ୍ୟ ହବ୍ ହେବାକୁ ଥିବାବେଳେ 5T ନୀତି ଉପରେ ଗୁରୁତ୍ଵ ଦେଇ କାମ ତଦାରଖ କରିବା ସହ ନିର୍ଦ୍ଧାରିତ ୪ ବର୍ଷ ମଧ୍ୟରେ କାମ ଯେପରି ଶେଷ ହେବ ତାହା ସୁନିଶ୍ଚିତ କରିବାକୁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, ଟ୍ବିନ୍ ସିଟିକୁ ବାଙ୍କୀ ଓ ଆଠଗଡ଼ ପଟୁ ତ୍ରିଶୂଳିଆ ହେବ ଗେଟ୍ ୱେ। ୨୦୨୪ ଜାନୁଆରୀ ପହିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ରଖିବେ। ହେଲେ ମେଟ୍ରୋ ପ୍ରକଳ୍ପକୁ ସହଜରେ ଗ୍ରହଣ କରିପାରୁନି କଂଗ୍ରେସ। ଏନେଇ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ କହିଛନ୍ତି, "ଏହା ଏକ ନିର୍ବାଚନୀ ଘୋଷଣା ବୋଲି ଜଳ ଜଳ ହୋଇ ଦେଖାଯାଉଛି । ଭୁବନେଶ୍ୱର କଟକ-ପୁରୀ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା ଉଦବେଗଜନକ ।"
ସେ ଆହୁରି ମଧ୍ୟ କହିଛନ୍ତି, "ଏ ସରକାର 23 ବର୍ଷ ହେବ ଶାସନ କରୁଛି । ହେଲେ ଦୁଃଖର କଥା ହେଲା ଯେ ଭୁବନେଶ୍ୱରରୁ କୋରାପୁଟ ଯିବାକୁ ହେଲେ ଆମକୁ ପଡୋଶୀ ରାଜ୍ୟ ଦେଇ ଯିବାକୁ ପଡୁଛି। ଗ୍ରାମାଞ୍ଚଳରେ ରାସ୍ତା ଗୁଡ଼ିକର ସ୍ଥିତି ଅତ୍ୟନ୍ତ ଶୋଚନୀୟ। ଖାଲି ମେଟ୍ରୋ ଶିଳାନ୍ୟାସ କରିବାକୁ କହିଦେଲେ ହେବନାହିଁ। ତା ପାଇଁ ଅର୍ଥ ବ୍ୟୟ ଅଟକଳ କରିବାକୁ ପଡିବ । କେବଳ ନିର୍ବାଚନକୁ ଆଖି ଆଗରେ ରଖି ଏଭଳି କରୁଛନ୍ତି ସରକାର। ମେଟ୍ରୋ ପ୍ରକଳ୍ପ ହେଲେ କେତେ ଜନସାଧାରଣ ଉପକୃତ ହେବେ ? କେବେ ଶେଷ ହେବ ? ସେତେବେଳେ ଗାଡି ସଂଖ୍ୟା ରାଜ୍ୟରେ କେତେ ହୋଇଥିବ ? ଏ କେବଳ ରାଜନୈତିକ ଉଦ୍ଦେଶ୍ୟରେ କରାଯାଉଛି ବୋଲି ଜଳ ଜଳ ହୋଇ ଦେଖାଯାଉଛି।"