ଓଡିଶା

odisha

ETV Bharat / state

ବିଜେଡ଼ିରେ ଯୋଗ ଦେବେ କି ପାଣ୍ଡିଆନ ? ଆଜି ବିଧିବଦ୍ଧ ଭାବେ ଦଳରେ ମିଶିବା ନେଇ ଚର୍ଚ୍ଚା - pandian politics

ଆଜି ଶାସକ ଦଳରେ ବିଧିବଦ୍ଧ ଭାବେ 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ଯାହାକୁ ନେଇ ସରଗରମ ରାଜ୍ୟ ରାଜନୀତି । ଅଧିକ ପଢନ୍ତୁ

vk pandian likely to join bjd today
ବିଜେଡ଼ିରେ ଯୋଗ ଦେବେ କି ପାଣ୍ଡିଆନ?

By ETV Bharat Odisha Team

Published : Nov 27, 2023, 6:59 AM IST

ଭୁବନେଶ୍ବର:କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡ଼ିରେ ଯୋଗ ଦେବେ କି ଭିକେ ପାଣ୍ଡିଆନ ! ଆଜି ଶାସକ ଦଳରେ ବିଧିବଦ୍ଧ ଭାବେ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ସର୍ବଭାରତୀୟ ପ୍ରଶାସନିକ ସେବାରୁ ସ୍ବେଚ୍ଛାକୃତ ଅବସର ନେବା ପରେ ସିଧାସଳଖ ସେ ରାଜନୀତିରେ ପ୍ରବେଶ କରିବେ ବୋଲି ଚର୍ଚ୍ଚା ହୋଇଆସୁଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବିଜେଡିରେ ଯୋଗ ଦେବା ନେଇ ଆଲୋଚନା ପରେ ଏହାକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ରହିଛି ।

ଏହା ମଧ୍ୟ ପଢନ୍ତୁ...Pandian likely to Join BJD: ଖୁବଶୀଘ୍ର ଶଙ୍ଖ ଫୁଙ୍କିବେ ପାଣ୍ଡିଆନ, ପ୍ରସ୍ତୁତ ହେଲାଣି କ୍ଷେତ୍ର

ଦୀର୍ଘଦିନ ଧରି ଭି କେ ପାଣ୍ଡିଆନ 30ଟି ଜିଲ୍ଲା ବୁଲି ଜନ ଅଭିଯୋଗର ଶୁଣାଣି ପରେ IAS ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି। ବିଜେଡ଼ିରେ ସକ୍ରିୟ ରାଜନୀତିରେ ପାଣ୍ଡିଆନଙ୍କ ଯୋଗଦାନ ନିଶ୍ଚିତ ରୂପେ ଦଳକୁ ଅଧିକ ଶକ୍ତିଶାଳୀ କରିବ ବୋଲି ଦଳୀୟ ସୂତ୍ରରୁ ଆଲୋଚନା ହେଉଛି । ଆଜି ଭୁବନେଶ୍ୱର ଶଙ୍ଖ ଭବନରେ ବିଜେଡ଼ିରେ ଆନୁଷ୍ଠାନିକ ଭାବେ ମିଶିପାରନ୍ତି 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ।

ଏନେଇ ଦଳୀୟ କାର୍ଯ୍ୟାଳୟରେ ବୃହତ ଜନହିତକର କାର୍ଯ୍ୟକ୍ରମ ହେବାର ସମ୍ଭାବନା ରହିଛି । ଦଳର ବହୁ ବରିଷ୍ଠ ନେତା ସାମିଲ ହୋଇପାରନ୍ତି ବୋଲି ବିଭିନ୍ନ ସୂତ୍ରରୁ ଶୁଣିବାକୁ ମିଳୁଛି । ସୂଚନା ଅନୁସାରେ ଭିକେ ପାଣ୍ଡିଆନ ଗତ ଅକ୍ଟୋବର 23 ତାରିଖରେ 2023ରେ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ । ଅବସରର 24 ଘଣ୍ଟା ନପୁରୁଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିକେ ପାଣ୍ଡିଆନଙ୍କୁ 5ଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ । ସେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ...ପ୍ରଶଂସାରେ ଗଦଗଦ ପ୍ରଣବ, କହିଲେ ମୁଖ୍ୟମନ୍ତ୍ରୀଙ୍କ ପଟ୍ଟଶିଷ୍ୟ ଭିକେ ପାଣ୍ଡିଆନ

ଯଦି ପାଣ୍ଡିଆନ ବିଜେଡିରେ ଯୋଗ ଦିଅନ୍ତି ତେବେ ତାଙ୍କୁ ଦଳରେ ଏକ ପ୍ରମୁଖ ଦାୟିତ୍ବରେ ଦେଖିବାକୁ ମିଳିବ ବୋଲି କେହି କେହି କହୁଛନ୍ତି । ଏନେଇ ରାଜ୍ୟ ତଥା ଜାତୀୟ ସ୍ତରରେ ଚର୍ଚ୍ଚା ଲାଗି ରହିଛି । ପାଣ୍ଡିଆନ ରାଜନୀତିରେ ଯୋଗ ଦେବା ପାଇଁ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା ଚର୍ଚ୍ଚା ନୂଆ ନୁହେଁ । ଏମିତିକି ତାଙ୍କୁ ନବୀନ ପଟ୍ଟନାୟକଙ୍କର ଉତ୍ତରାଧିକାରୀ ଭାବେ ଚିତ୍ରଣ କରାଯାଉଛି । ମାତ୍ର ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଥିଲା ନିକଟରେ ଆସିଥିବା ଏକ ଜାତୀୟ ମାଗାଜିନ ରିପୋର୍ଟ ଏବଂ ଆଜି ପ୍ରକାଶିତ ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ।

ଏହା ମଧ୍ୟ ପଢନ୍ତୁ...Odisha Politics: ‘ଷଡଯନ୍ତ୍ର କରି ପାଣ୍ଡିଆନ କ୍ଷମତାକୁ ଆସିପାରନ୍ତି’

ଉକ୍ତ ରିପୋର୍ଟରେ ଦର୍ଶାଯାିଥିଲା ଯେ ପାଣ୍ଡିଆନ କୌଣସି ବି ସମୟରେ ବିଜେଡିରେ ଯୋଗ ଦେଇପାରନ୍ତି । ୨୦୨୪ ନିର୍ବାଚନରେ ଦଳୀୟ ରଣନୀତି ପ୍ରସ୍ତୁତିରେ ସେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବେ । ତେବେ ଭିକେ ପାଣ୍ଡିଆନଙ୍କ ବିଜେଡ଼ିରେ ଯୋଗ ଦାନ ନେଇ ଚର୍ଚ୍ଚା କେତେଦୂର ସତ ପ୍ରମାଣିତ ହେଉଛି ଏବଂ ଯଦି ସେ ଯୋଗଦାନ କରନ୍ତି ତାହା ଶାସକ ଦଳ ପାଇଁ କେତେ ଶୁଭଙ୍କର ଏବଂ ଲାଭଦାୟକ ହେଉଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details