ଭୁବନେଶ୍ବର:ରାଜଧାନୀର ପାତ୍ରପଡା ସ୍ଥିତ ମୋ ବସ୍ ଡିପୋରେ ଆନ୍ଦୋଳନ । ସ୍କୁଲ ଆଗରେ ଗାଡି ଚଳାଚଳକୁ ବିରୋଧ କରି ରାସ୍ତାରୋକ କଲେ ପାତ୍ରପଡା ବାସିନ୍ଦା । ଏହି ଆନ୍ଦୋଳନରେ ଛାତ୍ରଛାତ୍ରୀ ବି ସାମିଲ ହୋଇଥିଲେ । ଯାହାଫଳରେ ଆଜି(ଶନିବାର) ସକାଳୁ ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଥିଲା ।
ସୂଚନା ମୁତାବକ, ମୋ ବସ୍ ଡିପୋ ସାମ୍ନାରେ ପାତ୍ରପଡ଼ା ନୋଡାଲ ହାଇସ୍କୁଲ ରହିଛି । ମୋ ବସ୍ ଡ୍ରାଇଭରମାନେ ବେପରୁଆ ଭାବେ ଗାଡି ଚଳାଉଛନ୍ତି । ତେଣୁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ । ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ମୋ ବସ୍ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଫଳରେ ବାଧ୍ୟ ହୋଇ ଗ୍ରାମବାସୀ ଓ ସ୍କୁଲ ଛାତ୍ରଛାତ୍ରୀ ମିଶି ଆଜି ରାସ୍ତାରୋକ କରିଥିଲେ । ଏଥିରେ ସାମିଲ ହୋଇଥିଲେ ବିଧାୟକ ସୁରେଶ ରାଉତରାୟ ।
ତେବେ ଦୀର୍ଘ ସମୟ ଧାରଣାରେ ବସିବା ପରେ ଡିପୋର ପଛପଟେ ଥିବା କାନ୍ଥକୁ ଭଙ୍ଗାଯାଇଛି । ବିଧାୟକ ସୁର ରାଉତରାୟ, ସ୍ଥାନୀୟ କର୍ପୋରେଟର, ସ୍ଥାନୀୟ ବାସିନ୍ଦା, ଓ ସ୍କୁଲ ଛାତ୍ରଛାତ୍ରୀ ସମସ୍ତେ ମିଳିତ ଭାବେ ପଶ୍ଚିମ ପଟର କାନ୍ଥକୁ ଜେସିପି ଲଗାଇ ଭଙ୍ଗିଛନ୍ତି । କ୍ରୁଟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ କ୍ରୁଟ ପକ୍ଷରୁ ଏହି ଅନୁମତି ଦିଆଯାଇଥିଲା । ତେବେ ସ୍କୁଲ ସାମ୍ନାରେ ବସ୍ ଚଳାଚଳ ନକରିବା ପାଇଁ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ କିଛି ସୁଫଳ ମିଳୁନଥିଲା । ଆଜି ମିଳିତ ଭାବେ ଆନ୍ଦୋଳନ କରିବା ପରେ ମାତ୍ର ୩ରୁ ୪ ଘଣ୍ଟାରେ ଦାବି ପୂରଣ ହୋଇଛି ।