ଖୋର୍ଦ୍ଧା :ଭୋଟ ବର୍ଜନ କଲେ କାଚରା ଗ୍ରାମବାସୀ । ଏଭଳି ଲେଖାଥିବା ବ୍ୟାନର ଝୁଲୁଛି ଗାଁ ମୁଣ୍ଡରେ । ଗ୍ରାମର ଶତାଧିକ ଲୋକେ ରାଜସ୍ୱ ଗ୍ରାମର ମାନ୍ୟତା ପାଇଁ ବାରମ୍ବାର ଦାବି କରି ନିରାଶ ହେବା ପରେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ସରକାର ଯଦି ଗ୍ରାମବାସୀଙ୍କ ଦାବି ପୂରଣ ନକଲେ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ଗ୍ରାମ ପଞ୍ଚାୟତ ଅଧୀନରେ ରହିଛି କାଚରା ଗ୍ରାମ । 1998 ମସିହାରୁ ଏହି ଗ୍ରାମକୁ ରାଜସ୍ୱ ଗ୍ରାମର ସ୍ୱୀକୃତି ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ରାଜସ୍ୱ ଗ୍ରାମର ମାନ୍ୟତା ମିଳିପାରିନାହିଁ । ଫଳରେ ଅନ୍ୟ ବିଭାଗର ଦପ୍ତରରେ ଏହି ଗ୍ରାମ ବାବଦରେ କୌଣସି ସୂଚନା ନାହିଁ ।
ଯେଉଁଥିପାଇଁ ଗ୍ରାମବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି । ତହସିଲ ସ୍ତରରୁ ରାଜ୍ୟସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଘଟଣା ସମ୍ପର୍କରେ ଅବଗତ କରି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ହେଲେ କୌଣସି ସୁଫଳ ମିଳିନାହିଁ । ଫଳରେ ବାଧ୍ୟ ହୋଇ ଏଭଳି ଭୋଟ ବର୍ଜନର ଚରମ ନିଷ୍ପତ୍ତି ନେଇଥିବା ଗ୍ରାମବାସୀ କହିଛନ୍ତି । 'କାଚରା' ଗ୍ରାମ ବୋଲି ଫଳକ ଲାଗିଛି ଓ ସ୍କୁଲ ନାମକରଣ ମଧ୍ୟ ହୋଇଛି କିନ୍ତୁ ଏ ଗ୍ରାମ ସମ୍ପର୍କରେ ସରକାରୀ ଦପ୍ତରମାନଙ୍କରେ କୌଣସି ସୂଚନା ନାହିଁ। ଫଳରେ ସରକାରୀ ସୁବିଧା ପାଇବା ପାଇଁ ଅନ୍ୟ ଗ୍ରାମର ନାମକୁ ବ୍ୟବହାର କରୁଛନ୍ତି ଗ୍ରାମବାସୀ ।