ଭୁବନେଶ୍ବର: ସମ୍ବଲପୁରରେ ହନୁମାନ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଶୋଭାଯାତ୍ରାରେ ଯେଉଁଭଳି ଭାବରେ ହିଂସାକାଣ୍ଡ ଘଟିଲା ତାହାକୁ ପ୍ରତିବାଦ କରି ଆଜି(ବୁଧବାର) ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଶ୍ବ ହିନ୍ଦୁ ପରିଷଦ । ଆଜି ସମ୍ବଲପୁର ସମେତ ୧୪ଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେବ । ସମ୍ବଲପୁର, ଦେବଗଡ, ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ଆଦି ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି । ଭିଏଚପିର ଏହି ୧୨ ଘଣ୍ଟିଆ ହରତାଳକୁ ଭାରତୀୟ ଜନତା ପାର୍ଟି(ବିଜେପି) ସମର୍ଥନ କରିବ ବୋଲି ଘୋଷଣା କରିଛି ।
ବିଶ୍ବ ହିନ୍ଦୁ ପରିଷତ ପକ୍ଷରୁ କୁହାଯାଇଛି ଯେ, ସମ୍ବଲପୁର ସହରରେ ହନୁମାନ ଜୟନ୍ତୀର ଦୁଇ ଦିନ ପୂର୍ବରୁ ଓ ହନୁମାନ ଜୟନ୍ତୀ ପାଳନ ଦିନ ଯେଉଁଭଳି ଭାବରେ ସାମ୍ପ୍ରଦାୟିକ ଦଙ୍ଗା ହେଲା ଏବଂ ଏକ ନିର୍ଦ୍ଦିଷ୍ଟ ସମୁଦାୟ ଦ୍ୱାରା ବାରମ୍ବାର ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରାଗଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଏହି ସାମ୍ପ୍ରଦାୟିକ ଦଙ୍ଗାରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତିର କାର୍ଯ୍ୟକାରୀ ସଭାପତି ଦାମୋଦର କରଙ୍କ ସମେତ ଅନେକ ସାଧାରଣ ଲୋକ, ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସମ୍ବଲପୁରର ଯେଉଁ ପରିସ୍ଥିତି ଘଟିଲା ତାହା ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଘଟିଲା । ରାଜ୍ୟ ସରକାର ଚାହିଁଥିଲେ ଆଜି ସମ୍ବଲପୁରରେ ଏଭଳି ପରିସ୍ଥିତି ଉପୁଜି ନଥାନ୍ତା । ଏହାର ପ୍ରତିବାଦରେ ହିନ୍ଦୁ ପରିଷଦ ଓ ଅନେକ ହିନ୍ଦୁ ସଂଗଠନ ପକ୍ଷରୁ ୧୪ ଜିଲ୍ଲାରେ ହରତାଳ ଡାକରା ଦିଆଯାଇଛି ।