ଭୁବନେଶ୍ବର: ଏଣିକି ପ୍ରାଣୀ ଚିକିତ୍ସା ସେବାରେ ନିୟୋଜିତ କର୍ମଚାରୀ କରିପାରିବେନି ଧର୍ମଘଟ । ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଗୃହ ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା । ପ୍ରାଣୀ ଚିକିତ୍ସାସେବାରେ ନିୟୋଜିତ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଓ ଧର୍ମଘଟ ନିଷିଦ୍ଧ କରାଯାଇଛି । ଆଦେଶକୁ ଅବମାନନା କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନେ ଦାବି ପୂରଣ ନେଇ ଧର୍ମଘଟ, କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ସାମୂହିକ ଛୁଟିରେ ଯାଇପାରିବେ ନାହିଁ । ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ଏପରି ଧର୍ମଘଟକୁ ବେଆଇନ ବୋଲି ଘୋଷଣା କରାଯାଇଛି । ଏହା ଓଡ଼ିଶା ସଂଶୋଧିତ ଅତ୍ୟାବଶ୍ୟକ ସେବା (ମେଣ୍ଟେନାନ୍ସ) ଆଇନ ୨୦୨୦ର ଉଲ୍ଲଘଂନ କରୁଛି ବୋଲି କୁହାଯାଇଛି ।
ଜନସାଧାରଣଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଣୀ ଚିକିତ୍ସା ସେବାକୁ ଅତ୍ୟାବଶ୍ୟକ ସେବା ଭାବରେ ଘୋଷଣା କରାଯାଇଛି । ରାଜ୍ୟରେ ନିରବଚ୍ଛିନ୍ନ ପ୍ରାଣୀ ଚିକିତ୍ସାସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଓଡ଼ିଶା ଅତ୍ୟାବଶ୍ୟକ ସେବା (ମେଣ୍ଟେନାନ୍ସ) ସଂଶୋଧନ ଆଇନ-୨୦୨୦ର ଧାରା ୨ର ଉପଧାରା (୯) ଅନୁଯାୟୀ ରାଜ୍ୟର ସରକାରୀ ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ କର୍ମଚାରୀ ଆନ୍ଦୋଳନ କରିପାରିବେ ନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।