ଭୁବନେଶ୍ବର: ପରିବା ଦର ଆକାଶ ଛୁଆଁ । 300 ଟଙ୍କାରେ ବ୍ୟାଗ ଫୁଲ ହେଉନି । ପ୍ରାୟ ଅଧିକାଂଶ ପରିବାର ଦର 100 ଟଙ୍କା ଉପରେ ରହିଛି । ହଠାତ ପରିବାର ବର୍ଦ୍ଧିତ ଦର ଯୋଗୁଁ ଲୋକେ ପରିବା କିଣିବାକୁ ଡରୁଛନ୍ତି । ଫଳରେ ଖାଁ ଖାଁ ହୋଇପଡ଼ିଛି ଭୁବନେଶ୍ବର ଏକ ନମ୍ବର ହାଟ । କାଁ ଭାଁ ଗ୍ରାହକଙ୍କୁ ଛାଡିଦେଲେ ପୁରା ଦୋକାନ ଖାଲି । ଆଉ ଯିଏ ବି କିଣୁଛନ୍ତି କିଲୋ ବଦଳରେ 250 ଗ୍ରାମ ପରିବା କିଣୁଛନ୍ତି । ଗ୍ରାହକଙ୍କୁ ଅପେକ୍ଷା କରି ବେପାରି ମଧ୍ୟ ନିରାଶ ହୋଇଛନ୍ତି ।
ବର୍ଦ୍ଧିତ ପରିବା ଦର ନେଇ କେବଳ ଖାଉଟି ନୁହେଁ ବ୍ୟବସାୟୀ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଯେଉଁଠି ଭିଡ଼ ଲାଗୁ ଥିଲା ଏବେ ଲୋକଙ୍କ ଦେଖା ମିଳୁନାହିଁ । ଉତ୍ପାଦନ ନଥିବାରୁ ଏପରି ସ୍ଥିତି ଉପୁଜିଛି ବୋଲି ବ୍ୟବସାୟୀ ଆଶଙ୍କା କରିଛନ୍ତି । ଲୋକେ ଯେଉଁ ପରିମାଣରେ ପରିବା କିଣୁଥିଲେ ସେହି ପରିମାଣରେ ପରିବା କିଣୁନାହାନ୍ତି । ଏହାର ମୂଳ କାରଣ ଉତ୍ପାଦନ କମିବା ବୋଲି କହିଛନ୍ତି ବ୍ୟବସାୟୀ । ଟମାଟୋ ଦର ଆକାଶ ଛୁଆଁ ହୋଇଥିବା ବେଳେ ଏବେ ସବୁ ପରିବା କିଲୋ 100 ଟଙ୍କା ଉପରେ । ଝୁଡୁଙ୍ଗ କିଲୋ 100 ଟଙ୍କା ରହିଥିବା ବେଳେ, କ୍ୟାପସିକମ ରହିଛି 100 ଟଙ୍କା । ସେହପରି ପୋଟଳ କେଜି 100 , ଟମାଟୋ କେଜି 100 ଟଙ୍କା । ଯାହା କିଲୋ 20ରୁ 30 ଟଙ୍କାରେ ବିକ୍ରି ହେଉଥିଲା ତାର ଦର ଏବେ 100 କିମ୍ବା 100 ଟଙ୍କାରୁ ଅଧିକ ଛୁଇଁଛି । ପରିବା ଦର ବୃଦ୍ଧିକୁ ନେଇ ଗ୍ରାହକ ଏକ ପ୍ରକାର ହତାସ ହୋଇଛନ୍ତି । ସେପଟେ ବ୍ୟବସାୟୀ ବି ନିରାଶ ହୋଇଛନ୍ତି । କାରଣ ଆଗ ଭଳି ଆଉ ବେପାର ହେଉନାହିଁ ।