ଭୁବନେଶ୍ବର:ଆଜି ଚାଲିବନି ହାୱଡା-ପୁରୀ ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ । ଟ୍ରେନ ବିଳମ୍ବରେ ଚାଲୁଥିବାରୁ ରେଳ ବିଭାଗ ନେଇଛି ଏପରି ନିଷ୍ପତ୍ତି । ଗତକାଲି(ରବିବାର) ଅପରାହ୍ନ ସମୟରେ କାଳବୈଶାଖୀ ତାଣ୍ଡବରେ ଭାଙ୍ଗିଥିଲା ବନ୍ଦେ ଭାରତ ଏକ୍ସପ୍ରେସର ସାମ୍ନା କାଚ। ଏନେଇ ବୈତରଣୀ ରୋଡ ଓ ମଞ୍ଜୁରୀ ରୋଡ ମଝିରେ ଦୀର୍ଘ 4 ଘଣ୍ଟା ଧରି ଅଟକି ରହିଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ଯାଜପୁର ନିକଟରେ ଥିବା ବୈତରଣୀ ରୋଡ ଓ ମଞ୍ଜୁରୀ ରୋଡ ମଝିରେ 4.30 ସମୟର କାଳବୈଶାଖୀ ଯୋଗୁଁ ଏକ ବଡ ଗଛ ଟ୍ରାକରେ ପଡି ଯିବାରୁ ଟ୍ରେନ୍ କିଛି ସମୟ ପାଇଁ ଅଟକି ରହିଥିଲା । ଏହା ସହ ଟ୍ରେନର ଆଗ ପଟ କାଚ ଭାଙ୍ଗିଯିବା ସହ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିଲା । ଯାହା ଫଳରେ ବୈତରଣୀ ରୋଡ ଓ ମଞ୍ଜୁରୀ ରୋଡ ମଝିରେ ଅଟକି ରହିଥିଲା ଟ୍ରେନ ।
ତେବେ ଅଧାରେ ଅଟକି ଥିବା ବନ୍ଦେ ଭାରତ ଏକ୍ସପ୍ରେସର ମରାମତି ସରିବା ପରେ ପୁଣି ତାର ଯାତ୍ରା ଆରମ୍ଭ କରିଥିଲା । ରେଳବାଇ ପକ୍ଷରୁ ବନ୍ଦେ ଭାରତର ମରାମତି କରାଯାଇ ଡିଜେଲ ଇଞ୍ଜିନ ଲଗାଯାଇଥିଲା । ଫଳରେ ଡିଜେଲ ଇଞ୍ଜିନ୍ ଜରିଆରେ ବନ୍ଦେ ଭାରତ ଏକ୍ସପ୍ରେସ ହାୱଡାକୁ ଯାତ୍ରା ଆରମ୍ଭ କରିଥିଲା । ଡିଜେଲ ଇଞ୍ଜିନ ଲାଗିଥିବାରୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅଧିକ ସମୟ ଲାଗିଥିବାରୁ ଆଜି ଚଳାଚଳ କରିବ ନାହିଁ ବନ୍ଦେ ଭାରତ ଏକ୍ସପ୍ରେସ ।