ଭୁବନେଶ୍ବର:ଉତ୍କଳ ବିଶ୍ୱବିଦ୍ୟାଳୟ ନାକ ଗ୍ରେଡ କମିବା ପ୍ରସଙ୍ଗ ନେଇ ଖୁବ ଶୀଘ୍ର ହେବ ତର୍ଜମା । ଉଚ୍ଚ ଶିକ୍ଷା ବିଭାଗ ନାକ ଗ୍ରେଡ ଖସିବା ନେଇ ସମୀକ୍ଷା ବୈଠକ କରିବ । A+ ରୁ Aକୁ ଖସି ମୋଟ ୩.୧୬ ରହିଛି ଗ୍ରେଡ । ତେବେ ନାକ ଗ୍ରେଡ କମିବା ନେଇ ଉତ୍କଳ ବିଶ୍ଵବିଦ୍ୟାଳୟ ପୁଣିଥରେ ନାକ ଟିମକୁ ଅପିଲ କରିଛନ୍ତି । ଏପଟେ ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରେଡ କମିଥିବା ବେଳେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟର ଗ୍ରେଡ ବଢ଼ିଛି ଯାହା .୫୫ ବଢ଼ିଥିବା କହିଛି ବିଭାଗ ।
ଉତ୍କଳରେ ୨୦୧୬ ମସିହାରେ ନାକ ଟିମ ଯେଉଁ ତର୍ଜମା କରି ଗ୍ରେଡ ଦେଇଥିଲା ତାହା ୨୦୨୩ ମସିହା ଅପେକ୍ଷା ବହୁ ଫରକ୍ ରହିଛି । ତେବେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଗବେଷଣା କମିନି କିନ୍ତୁ ଅଧ୍ୟାପକ କମିଛି ବୋଲି କହିଛନ୍ତି ଉଚ୍ଚଶିକ୍ଷା ବିଭାଗର ଉପାଧ୍ୟକ୍ଷ ଅଶୋକ ଦାସ । ଉତ୍କଳ ବିଶ୍ବବିଦ୍ୟାଳୟର ନାକ ଗ୍ରେଡ୍ A+ ରୁ A କୁ ଖସିବା ପରେ ଅନ୍ୟ ସରକାରୀ ବିଶ୍ବବିଦ୍ୟାଳୟରେ ଏବେ ଚିନ୍ତା ପଡିଛି । ନାକ ଗ୍ରେଡ୍ ହ୍ରାସ ପାଇବାରେ ଶିକ୍ଷକ ସଂକଟକୁ ଏକ ପ୍ରମୁଖ କାରଣ ବୋଲି କୁହାଯାଇଛି ।
ବର୍ଷ ବର୍ଷ ଧରି ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଏବଂ ଅଣଶିକ୍ଷକ ନିଯୁକ୍ତି ହେଉନାହିଁ । ଏଥିସହ ପ୍ରଫେସର, ଆସୋସିଏଟ୍ ପ୍ରଫେସର, ଆସିଷ୍ଟାଷ୍ଟ ପ୍ରଫେସରଙ୍କ ସ୍ଥାନ ଅଧାରୁ ଅଧିକ ଖାଲି ପଡ଼ି ରହିଛି । ରାଜ୍ୟର ୧୨ଟି ସରକାରୀ ବିଶ୍ବବିଦ୍ୟାଳୟରେ ପାଖାପାଖି ଏକ ହଜାରରୁ ଅଧିକ ଶିକ୍ଷକ ଓ ଅଣସିକ୍ଷକ ପଦ ଖାଲି ପଡ଼ିଛି । ଉତ୍କଳ ବିଶ୍ବବିଦ୍ୟାଳୟରେ ୨୫୭ ମଞ୍ଜୁରିପ୍ରାପ୍ତ ଶିକ୍ଷକ ପଦରୁ ୧୨୯ ଏବଂ ୯୮୦ ଅଣଶିକ୍ଷକ ପଦରୁ ୬୬୭ ଖାଲି ରହିଛି ।
ସେହିପରି ରେଭେନ୍ସାରେ ୨୬୭ ମଞ୍ଜୁରିପ୍ରାପ୍ତ ଶିକ୍ଷକ ପଦରୁ ୧୫୩, ସମ୍ବଲପୁରରେ ୧୫୩ ଶିକ୍ଷକ ପଦରୁ ୯୯, ବ୍ରହ୍ମପୁରରେ ୧୯୬ ଶିକ୍ଷକ ପଦରୁ ୮୬, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ୪୫ ଶିକ୍ଷକ ପଦରୁ ୧୯, ଗଙ୍ଗାଧର ମେହର ବିଶ୍ବବିଦ୍ୟାଳୟରେ ୧୪୪ ଶିକ୍ଷକ ପଦରୁ ୭୦, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ୧୩୮ ଶିକ୍ଷକ ପଦରୁ ୭୮, ଫକିର ମୋହନ ବିଶ୍ବବିଦ୍ୟାଳୟରେ ୧୧୭ ଶିକ୍ଷକ ପଦରୁ ୪୪, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ୧୧୫ ଶିକ୍ଷକ ପଦରୁ ୭୬ ଖାଲି ରହିଛି ।
ସେହିପରି ଭାବରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ୧୨୬ ଶିକ୍ଷକ ପଦରୁ ୧୦୬, କଳାହାଣ୍ଡି ବିଶ୍ବବିଦ୍ୟାଳୟରେ ୧୧୨ ଶିକ୍ଷକ ପଦରୁ ୯୫ ଏବଂ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟରେ ୫୦ ଶିକ୍ଷକ ପଦରୁ ୫୦ ଶିକ୍ଷକ ପଦ ଖାଲି ପଡ଼ିଛି। ସେହିପରି ଭାବରେ ରାଜ୍ୟରେ ୧୨ଟି ବିଶ୍ବବିଦ୍ୟାଳୟରେ ମଞ୍ଜୁରିପ୍ରାପ୍ତ ୨୬୩୯ ଅଣଶିକ୍ଷକ ପଦରୁ ୧୫୩୪ ପଦ ଖାଲି ରହିଛି । କେବଳ ଶିକ୍ଷକ, ଅଣଶିକ୍ଷକ ନୁହେଁ ପ୍ରଫେସର ପଦ ବି ସବୁଠି ଖାଲି ରହିଥିବା ଜଣାପଡିଛି ।
ଉତ୍କଳ ବିଶ୍ବବିଦ୍ୟାଳୟରେ ସହକାରୀ ପ୍ରଫେସର, ସହଯୋଗୀ ପ୍ରଫେସର ଏବଂ ପ୍ରଫେସରଙ୍କୁ ମିଶାଇ ମୋଟ୍ ୨୫୭ ମଞ୍ଜୁରିପ୍ରାପ୍ତ ପଦ ରହିଥିବା ବେଳେ ଖାଲିପଡ଼ିଛି ୧୨୯ ପଦ । ଅନ୍ୟପଟେ ରାଜ୍ୟରେ ବିଗତ ଦୁଇ ଦଶନ୍ଧି ଧରି ଛାତ୍ର ଛାତ୍ରୀ ମାନଙ୍କର ସଂଖ୍ୟା ୨୦୦୦ ମସିହାରେ ୩.୨ ଲକ୍ଷ ରହିଥିବା ବେଳେ ୨୦୨୩ ମସିହାରେ ଏହା ଦ୍ୱିଗୁଣିତ ହୋଇ ୬.୫ ଲକ୍ଷରେ ପହଁଚିଛି । ଯାହା ମଧ୍ୟରୁ ୩.୮ ଲକ୍ଷ ହେଉଛନ୍ତି ଛାତ୍ରୀ । ସ୍ନାତକ ମେଧାବୃତ୍ତି ଅଧୀନରେ ୧୦ ହଜାର ସ୍ନାତକ ମେଧାବୀ ଛାତ୍ର ଛାତ୍ରୀଙ୍କ ବାର୍ଷିକ ୧୦ ହଜାର ଟଙ୍କା, ସ୍ନାତକୋତ୍ତର ମେଧାବୃତ୍ତି ଅଧୀନରେ ୫ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ଓ ଦେଶର ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ମେଧାବୀ ଛାତ୍ର ଛାତ୍ରୀଙ୍କ ବାର୍ଷିକ ୨୦ ହଜାର ଟଙ୍କା ପ୍ରଦାନ କରାଯାଉଛି । ରାଜ୍ୟରେ ସାଧାରଣ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ୫୦୦ ଜଣ ପିଏଚଡି କରିବା ପାଇଁ ବୃତ୍ତି ପ୍ରୋତ୍ସାହନ ବାବଦକୁ ମାସକୁ ୩୦ ହଜାର ଟଙ୍କା ରଖାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର