ଭୁବନେଶ୍ବର:ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ତାର ୮୧ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଦେଶର ୧୭ତମ ବିଶ୍ବବିଦ୍ୟାଳୟ ଭାବରେ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଓ କୃତିତ୍ବ ଜାତୀୟସ୍ତରରେ ସର୍ବମାନ୍ୟତାପ୍ରାପ୍ତ । ତେବେ ରେଭେନ୍ସା ବିଶ୍ବବିଦ୍ୟାଳୟକୁ ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ ନାକ୍ A++ ମାନ୍ୟତା ମିଳିଛି । ଏହାକୁ ନେଇ ତେବେ ଉତ୍କଳ ବିଶ୍ବବିଦ୍ୟାଳୟର ନାକ୍ ପୁନଃ ମୂଲ୍ୟାୟନ ରିପୋର୍ଟ କେବେ ଆସିବ ତାହାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି ।
ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଦେଶ ବିଦେଶ ସମେତ ଜାତୀୟସ୍ତରରେ ମଧ୍ୟ ପ୍ରତିଷ୍ଠିତ । ଖୋଦ ବର୍ତ୍ତମାନର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବିଶ୍ବବିଦ୍ୟାଳୟରେ ଜଣେ ଅତୀତର ଛାତ୍ରନେତା । ଏହା ସତ୍ତ୍ବେ ଉତ୍କଳ ବିଶ୍ବବିଦ୍ୟାଳୟକୁ ଏପର୍ଯ୍ୟନ୍ତ ‘ନାକ୍’ ପୁନଃ ମୂଲ୍ୟାୟନର ମାନ୍ୟତା ମିଳିପାରିଲା ନାହିଁ । ୨୦୧୬ ମସିହାରୁ ଉତ୍କଳ ବିଶ୍ବବିଦ୍ୟାଳୟ ‘ନାକ୍’ ଦ୍ବାରା ଏ+ ମାନ୍ୟତା ପାଇ ଆସୁଥିଲା । କିନ୍ତୁ ଗତଥର ବିଶ୍ବବିଦ୍ୟାଳୟ ପରିଦର୍ଶନରେ ଆସିଥିବା ‘ନାକ୍’ ଟିମ ଏହାର ମାନ୍ୟତାକୁ ‘ଏ’କୁ ଖସାଇ ଦେଇଥିଲେ । ଯାହାକି ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା, ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା ।
ଏହା ବି ପଢନ୍ତୁ- ରେଭେନ୍ସାକୁ ମିଳିଲା A++, ନାଚଗୀତରେ ଝୁମୁଛି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍
ଏହି ଅବସରରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି, "ଶିକ୍ଷା, ଗବେଷଣା, ପ୍ରଯୁକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ଉତ୍କଳ ବିଶ୍ବବିଦ୍ୟାଳୟକୁ ବିଶ୍ବସ୍ତରୀୟ କରାଯିବା ପାଇଁ ପ୍ରୟାସ ଜାରି ରହିଛି । ଉତ୍କଳ ବିଶ୍ବବିଦ୍ୟାଳୟ ସର୍ବଦା ଗୁଣାତ୍ମକ ଶିକ୍ଷା ଓ ଗବେଷଣାକୁ ଗୁରୁତ୍ବ ଦେଉଛି । ବର୍ତ୍ତମାନ ୧୫ଟି ସ୍ବୟଂଶାସିତ କଲେଜ ସମେତ ୩୬୫ଟି ଅନୁବନ୍ଧିତ ମହାବିଦ୍ୟାଳୟ ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ରହିଛି । ସମୟ ଉପଯୋଗୀ ‘ସେଲ୍ଫ ଫାଇନାନ୍ସିଂ’ ଏବଂ ‘ଇନୋଭେଟିଭ୍’ ପାଠ୍ୟକ୍ରମ ପ୍ରଚଳନ କରାଯାଇଛି । ଏହା ଏବେ ରାଜ୍ୟର ସର୍ବବୃହତ ଅନୁବନ୍ଧନ ପ୍ରଦାନ କରୁଥିବା ବିଶ୍ବବିଦ୍ୟାଳୟ । ବିଭିନ୍ନ ବିଭାଗରେ ଅତିରିକ୍ତ ୩୦ଟି ସ୍ମାର୍ଟ କ୍ଲାସରୁମର ସୁବିଧା ସାଙ୍ଗକୁ ଇ-ଲାଇବ୍ରେରୀ ସୁବିଧାଶିକ୍ଷା ପ୍ରଦାନର ଧାରାକୁ ଅଧିକ ପ୍ରଭାବଶାଳୀ କରିଛି ।"