ଭୁବନେଶ୍ବର:ଆଜିକୁ ଠିକ ୮୭ ବର୍ଷ ପୂର୍ବେ ଓଡ଼ିଶା ଏକ ଭାଷାଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ରୂପେ ଗଢି ଉଠିଥିଲା । ଓଡିଆ ଜାତିର ସୁଦୀର୍ଘ ସଂଗ୍ରାମର କାହାଣୀ କୁହେ ଏହି ତାରିଖ । ଏହାର ମାଟି, ପାଣି, ପବନ ସ୍ବତନ୍ତ୍ର ପ୍ରଦେଶ ଗଠନର କର୍ଣ୍ଣଧାରଙ୍କ ବଳିଦାନକୁ ବଖାଣିଥାଏ । ଏହି ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଉତ୍କଳ ଦିବସ ବା ଓଡ଼ିଶା ଦିବସ ଭାବେ ପାଳନ କରାଯାଏ । ବିଶ୍ବର କୋଣ ଅନୁକୋଣରେ ରହୁଥିବା ପ୍ରତି ଓଡ଼ିଆ ଅତି ଗର୍ବର ସହକାରେ ଏହି ଦିବସ ପାଳନ କରିଥାନ୍ତି । ଉତ୍କଳ ଦିବସ ଅବସରରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ, ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହମନ୍ତ୍ରୀ ଅମିତ ଶାହ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଉତ୍କଳ ଦିବସ ଉପଲକ୍ଷେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଟ୍ବିଟ ଯୋଗେ ସମଗ୍ର ଓଡ଼ିଶାବାସୀଙ୍କ ସୁଖ, ସମୃଦ୍ଧ କାମନା କରି ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, "ଓଡ଼ିଶା ଦିବସ ଅବସରରେ ମୁଁ ପ୍ରିୟ ଦେଶବାସୀଙ୍କୁ ବିଶେଷକରି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ପ୍ରଚୁର ପ୍ରାକୃତିକ ସମ୍ପଦ ଏବଂ ଦକ୍ଷଓ କର୍ମଠ ଲୋକଶକ୍ତି ଆଧାରରେ ଓଡ଼ିଶା, ଆମ ଅର୍ଥବ୍ୟବସ୍ଥାର ଗ୍ରୋଥ୍ ଇଞ୍ଜିନ ହେବାର ସାମର୍ଥ୍ୟ ବହନ କରେ । ମୁଁ ଓଡ଼ିଶାର ଭାଇ ଓ ଭଉଣୀମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରୁଛି ।"
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, "ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା । ଏହି ଦିନ ଦେଶର ପ୍ରଗତିରେ ଓଡ଼ିଶା, ଓଡ଼ିଆ ଜନସାଧାରଣ ଏବଂ ସଂସ୍କୃତିର ସମୃଦ୍ଧି ଅବଦାନକୁ ଜାଣିବାର ଅବସର । ଓଡ଼ିଶାବାସୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ସମୃଦ୍ଧି କାମନା କରୁଛି ।"