ହାଇଦ୍ରାବାଦ:ଆଜି ଉତ୍କଳ ଦିବସ । ପ୍ରତ୍ୟେକ ଓଡିଆଙ୍କ ପାଇଁ ଗର୍ବ ଏବଂ ଗୌରବର ଦିନ । ଆଜି ଉଜ୍ଜୀବିତ ହେଉଛି ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ସ୍ମୃତି । କାହିଁକି ନା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡିଶାକୁ ଆଜିର ଦିନରେ ମାନ୍ୟତା ମିଳିଥିଲା । ସୀମାହୀନ, ଭାଷାହୀନ ଭାବେ ରହିବା ପରେ ଏହି ଦିନ ଏକତ୍ରିକ ହୋଇଥିଲା । ନବ ଗଠିତ ରାଜ୍ୟ ଭାବେ ଓଡିଶା ମାନଚିତ୍ରରେ ଶୋଭାମଣ୍ଡନ କରିଥିଲା ଉତ୍କଳ । ଆଜିର ଦିନରେ ଓଡିଶାକୁ ସ୍ବତନ୍ତ୍ର ମାନ୍ୟତା ମିଳିଥିବାରୁ ଏହି ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଉତ୍କଳ ଦିବସ ଭାବେ ପାଳନ କରାଯାଏ ।
ଆଜିର ଦିନ ହେଉଛି ଓଡିଶା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ । ଓଡିଆ ଜାତିର ଅସ୍ମିତାର ସୁରକ୍ଷା ନେଇ ସଂଗ୍ରାମର କାହାଣୀ କୁହେ ଏହି ତାରିଖ । ଯାହାକୁ ନେଇ ପ୍ରତି ଓଡିଆ ମଧ୍ୟ ଗର୍ବ କରନ୍ତି । ଉତ୍କଳ କଳା, ସଂସ୍କୃତି ବାଣିଜ୍ୟର ଏକ ପ୍ରମୁଖ ସ୍ଥାନ । ଆମର ମନ୍ଦିରରେ କାଳ, ଭାସ୍କର୍ଯ୍ୟ ବିଶ୍ବକୁ ଏକ ସ୍ବତନ୍ତ୍ର ସ୍ଥାନ ଦେଇଥିବା ବେଳେ ଆମର ତ୍ୟାଗ, ବଳିଦାନ ଇତିହାସ ବିଦିତ । ସେ ନଅଙ୍ଗ ଦୁର୍ଭିକ୍ଷ କଥା କୁହନ୍ତୁ କି ମହାବାତ୍ୟା ସବୁର ମୁକାବିଲା କରି ପ୍ରଶଂସା ସାଉଁଟିଛି ଓଡିଶା ।
ପୂର୍ବରୁ ଉତ୍କଳ ଖଣ୍ଡବିଖଣ୍ଡିତ ହୋଇରହିଥିଲା । ସମ୍ବଲପୁର ମଧ୍ୟପ୍ରଦେଶ ସହ ମିଶିଥିବା ବେଳେ ବାଲେଶ୍ବରରେ ବଙ୍ଗଳାର ପ୍ରଭାବ ଏବଂ ଗଞ୍ଜାମ ମାଡ୍ରାସ ପ୍ରେସିଡେନ୍ସି ଅଧିନରେ ରହିଥିଲା । ତେବେ ସ୍ବତନ୍ତ୍ର ଓଡିଆ ପ୍ରଦେଶ ଗଠନ କରିବା ନିମନ୍ତେ ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ରାଧାନାଥ ରାୟ, ଫକୀର ମୋହନ ସେନାପତି ଏବଂ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରଚେଷ୍ଟାରେ ଆନ୍ଦୋଳନ ତେଜିଥିଲା ।