ଭୁବନେଶ୍ବର: ବିଧାନସଭାରେ ଆଗତ ହୋଇଛି ଗୃହ ନଗର ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି । ଆର୍ଥିକ ବର୍ଷ 2023-24 ପାଇଁ ବିଭାଗ ପାଇଁ ଆବଶ୍ୟକ ହେଉଥିବା 7919 କୋଟି 43 ଲକ୍ଷ 9 ହଜାର ଟଙ୍କା ଗୃହର ମଞ୍ଜୁରୀ ନିମନ୍ତେ ଉପସ୍ଥାପନ କରିଛନ୍ତି ବିଭାଗୀୟ ମନ୍ତ୍ରୀ ଉଷା ଦେବୀ ।
ଖର୍ଚ୍ଚ ଦାବି ଆଲୋଚନାରେ ଭାଗନେଇ ବିଜେପି ବିଧାୟକ ସୁକାନ୍ତ କୁମାର ନାୟକ କହିଛନ୍ତି, "ପ୍ରଗତିଶୀଳ ସହର ସଭ୍ୟତାର ମାପକାଠି । ସ୍ପେସ ଇଣ୍ଡେକ୍ସରେ ଭୁବନେଶ୍ୱର 2.5ରେ ରହିଛି । ସହରମାନଙ୍କରେ ସ୍ବଛନ୍ଦରେ ଜୀବନଯାପନ ପାଇଁ ସ୍ୱଚ୍ଛ ପାନୀୟ ଜଳ ଆବଶ୍ୟକ ରହିଛି । ଦିନକୁ ଦୈନିକ ମୁଣ୍ଡ ପିଛା 135 ଲିଟର ପାଣି ଦରକାର । ଏହି ପାଣି ଆମେ ଯୋଗାଇ ଦେଇଛୁ ସତ । କିନ୍ତୁ ମାନ ଯଦି ଦେଖିବା ତେବେ ଅତ୍ୟନ୍ତ ଖରାପ । ସ୍ୱଚ୍ଛ ନିର୍ମଳ ପାଣି ଦେବାକୁ ପଡ଼ିବ । ବିଭାଗ ଏଥିପ୍ରତି ଧ୍ୟାନ ଦେବା ଦରକାର । ଯଦି ଭଲ ପରିଷ୍କାର ପାଣି ଆମେ ପାଇବା ନାହିଁ ତେବେ ବିଭାଗ କିପରି କାମ କରୁଛି ଅନୁମାନ କରାଯାଇପାରେ ।"
ଜୁନିଅର ଇଞ୍ଜିନିୟରମାନେ ପ୍ରତିଶ୍ରୁତିବଦ୍ଧ ହେବା ଦରକାର ଲୋକମାନେ କିପରି ଉଚ୍ଚ ଗୁଣ ସମ୍ପନ୍ନ ପାଣି ପାଇପାରିବେ । ଏବେ 12ଟି ପରୀକ୍ଷା କେନ୍ଦ୍ର ଅଛି । କିନ୍ତୁ ଏହି ପରୀକ୍ଷା କେନ୍ଦ୍ର କେତେଦୂର ପାଣିର ସ୍ୱଚ୍ଛତା ପରୀକ୍ଷା କରିପାରୁଛି ତାହା ବଡ଼ ପ୍ରଶ୍ନ । ସିଏଜି ଅଭିଯୋଗ ଆଣିଛନ୍ତି ନିର୍ମଳ ପାଣି ଦିଆଯାଉ ନାହିଁ । ବାତ୍ୟା ସମୟରେ କିପରି ପାଣି ଦିଆଯାଉଛି ତାହା ସହଜରେ ଅନୁମାନ କରାଯାଇପାରେ । ଯେତିକି ପାଣି ପରୀକ୍ଷା କେନ୍ଦ୍ର ଅଛି ଏହା ଯଥେଷ୍ଟ ନୁହେଁ ବୋଲି ବିଧାୟକ ସୁକାନ୍ତ କୁମାର ନାୟକ କହିଛନ୍ତି । ଆମେ ପାଣି ଦେଉଛେ ସତ କିନ୍ତୁ ମାନ ସଠିକ ହେଉନାହିଁ ।