ଖୋର୍ଦ୍ଧା: ଚାଷୀଙ୍କୁ ଦାଉ ସାଜିଲା ଅଦିନିଆ ବର୍ଷା । ଜମିରୁ ଅମଳ ହେବାକୁ ଥିବା ପାଚିଲା ଚଣା ଓ ମୁଗ ଫସଲ ପାଇଁ ଅଦିନିଆ ବର୍ଷା କାଳ ହୋଇଛି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ଜମିରେ ରବି ଫସଲ କରିଥିଲା । ଯାହାର ଏବେ ଅମଳ ହେବାର ସମୟ ଆସିଛି । ଏହି ସମୟରେ ବର୍ଷା ହେବା କାରଣରୁ ଫସଲ ଉଜୁଡି ଯିବାକୁ ବସିଛି । ଅଦିନିଆ ବର୍ଷା କାରଣରୁ ଚଣା ଓ ମୁଗ ଗଛରୁ ଫଳ ଝଡି ଯାଉଥିବା ଦେଖାଯାଇଛି ।
ଅନ୍ୟପକ୍ଷେ ମେଘୁଆ ପାଗ ସହିତ ବର୍ଷା ଲାଗି ରହିଲେ ସବୁଜ ଥିବା ମୁଗ ଫସଲରେ ରୋଗପୋକ ଆକ୍ରମଣ କରିବା ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଗତ ଫେବୃୟାରୀ ଠାରୁ ମାର୍ଚ୍ଚ ମଧ୍ୟରେ ୩ ଥର ବର୍ଷା ସାଙ୍ଗକୁ ମେଘୁଆ ପାଗ ହେବା ଫଳରେ ଚଣା ଓ ମୁଗ ଫସଲରେ ରୋଗପୋକ ଆକ୍ରମଣ କରିଥିଲା । ସେହିପରି ଏବେ ଝିପିଝିପି ବର୍ଷା ସହ ମେଘୁଆ ପାଗ ମୁଗ ଫସଲ ପାଇଁ ପ୍ରତିବନ୍ଧକ ସାଜିଛି । ଏହା ଦ୍ଵାରା ଅମଳ ହେବାକୁ ରହିଥିବା ପାଚିଲା ମୁଗ ଜମିରୁ ଖଳାକୁ ଆଣିବାକୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।