ଭୁବନେଶ୍ବର:ଖୋଲିଲା ୟୁନିଟ୍-1 ହାଟ । ଦୀର୍ଘ 6 ଦିନର ବନ୍ଦ ପରେ ଆଜି ପୁଣିଥରେ ଖୋଲିଛି ହାଟ । ବିଏମସି ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ପ୍ରତିଶୃତି ମିଳିବ ପରେ ବ୍ୟବସାୟ ସଂଘ ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ପୁଣିଥରେ ସ୍ୱାଭାବିକ ହୋଇଛି ହାଟର କିଣାବିକା । ବ୍ୟବସାୟୀମାନେ ଆନ୍ଦୋଳନରୁ ଓହରି ପୁଣି ଥରେ ବ୍ୟବସାୟ କରିବା ଆରମ୍ଭ କରିଛନ୍ତି ।
ତେବେ ଗତ ଶନିବାରଠୁ ବନ୍ଦ ରହିଥିଲା ୟୁନିଟ-୧ ହାଟ । ପାର୍କିଂ ବ୍ୟବସ୍ଥା ସହ ୭ ଦଫା ଦାବିକୁ ନେଇ ୟୁନିଟ୍ -୧ ହାଟ ବ୍ୟବସାୟୀ ଧାରଣାରେ ବସିଥିଲେ । ଏହାସହ ସମ୍ପୂର୍ଣ୍ଣ ହାଟକୁ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଥିଲା ବ୍ୟବସାୟୀ ସଂଘ । ସେପଟେ ଗତକାଲି ବିଏମସିର ଏକ ସ୍ୱତନ୍ତ୍ର ଟିମ ଏବଂ ବିଏମସି ଡେପୁଟି କମିଶନର ମୟୂରୀ ସୂର୍ଯ୍ୟବଂଶୀ ହାଟକୁ ଯାଇ ବୁଲି ସ୍ଥିତି ପରଖିବା ସହ ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ୪ ଦିନରେ ଏହାର ସମାଧାନ କରିବା ଦିଗରେ ବିଏମସି ପଦକ୍ଷେପ ନେବା ବୋଲି କହିବା ପରେ ହାଟ ଖୋଲିଛି ।
ସୂଚନା ଅନୁସାରେ, ପାର୍କିଙ୍ଗ ସମସ୍ୟାକୁ ନେଇ ଗତ ଗୁରୁବାର ଦିନ ୟୁନିଟ-୧ ମାର୍କେଟ ବ୍ୟବସାୟୀ ଓ ଉଠାଦୋକାନୀଙ୍କ ମଧ୍ୟରେ ପ୍ରଥମେ କଥା କଟା କଟି ହୋଇଥିଲା । ସେହି ଦିନଠୁ ବ୍ୟବସାୟୀମାନେ ହାଟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏହି କଥାର ସମାଧାନକୁ ନେଇ ବିଏମସିର ହସ୍ତକ୍ଷେପ ଲୋଡିଥିଲା । ଏହାର ସ୍ଥାୟୀ ସମାଧାନକୁ ନେଇ ଶୁକ୍ରବାର ବିଏମସି କମିଶନରଙ୍କ ସହ ଆଲୋଚନା ବିଫଳ ହେବ ପରେ ଶନିବାର ଠାରୁ ଧାରଣାରେ ବସି ରହିଥିଲେ ଶହ ଶହ ବ୍ୟବସାୟୀ ।