ଭୁବନେଶ୍ବର:ରାଜ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆ ଶିକ୍ଷାନୁଷ୍ଠାନ ସ୍ଥାପନ କରିବା ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ଉନ୍ନତି ପାଇଁ ଓଡ଼ିଶାରେ ପିଏମ୍-ଉଷା ଯୋଜନା କାର୍ଯ୍ୟକାରୀ କରିବା ଲାଗି ସହଯୋଗ କରିବାକୁ ଚିଠିରେ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି । ସେ ଏଥିରେ ଉଲ୍ଲେଖ କରିଛନ୍ତି ଯେ, ପିଏମ ଉଷା ଯୋଜନାକୁ କ୍ରିୟାନ୍ୱୟନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ବୁଝାମଣା ସ୍ୱାକ୍ଷରିତ(ଏମଓୟୁ) କରିବା ଦରକାର । ଏମଓୟୁର ଫର୍ମାଟ୍ ଗତ ବର୍ଷ ଜୁନ୍ ୨୪ ତାରିଖରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଦିଆଯାଇ ସାରିଛି । ପିଏମ୍ -ଉଷା ନିର୍ଦ୍ଦେଶାବଳୀ ଅଧୀନରେ ନିର୍ଦ୍ଧାରିତ ବୁଝାମଣାପତ୍ର ସ୍ବାକ୍ଷର କରିବା ଓଡ଼ିଶା ଭଳି ରାଜ୍ୟ ପାଇଁ ପ୍ରାଥମିକତା ଅଟେ ।
ସୂଚନା ଥାଉକି, ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା)କୁ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ-ଉଷା) ନାମରେ ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନକୁ ଜାରି ରଖିବା ପାଇଁ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସୁଦ୍ଧା କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଯୋଜନା ପିଏମ୍ ଉଷାକୁ ଅନୁମୋଦନ ମିଳିଥିବା ବେଳେ ୧୨ ହଜାର ୯୨୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନୂଆ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ସମୟରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ ଦିଗରେ ପିଏମ ଉଷା କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ନୂଆ ଶିକ୍ଷାନୁଷ୍ଠାନ ସ୍ଥାପନ କରିବା ଏବଂ ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡିକର ସାମଗ୍ରିକ ଉନ୍ନତି କରିବା ଏହି ଯୋଜନାର ଲକ୍ଷ୍ୟ ରହିଛି । ବିଶେଷ ଭାବରେ ଦୁର୍ଗମ, ଜନଜାତି ଅଧ୍ୟୁଷିତ, ମାଓ ପ୍ରଭାବିତ ଅଞ୍ଚଳରେ ଉଚ୍ଚତର ଶିକ୍ଷା ପାଇଁ ସୁଯୋଗ ସୃଷ୍ଟି କରିବା ଏହି ଯୋଜନାର ଉଦ୍ଦେଶ୍ୟ ।
ଏହା ମଧ୍ୟ ପଢନ୍ତୁ: କଲେଜ କ୍ୟାମ୍ପସ ଶୈକ୍ଷିକ ବାତାବରଣ ଖରାପ କରୁଛି ବିଜେଡି ସରକାରର ନୂଆ ଯୋଜନା: ବିଜେପି