ଭୁବନେଶ୍ବର:ସୀମା ବିବାଦ ପ୍ରସଙ୍ଗରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖଛନ୍ତି କେନ୍ଦ୍ରମନ୍ତ୍ରୀ । ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ କୋରାପୁଟ ଏବଂ ଗଜପତି ଜିଲ୍ଲାରେ ଉଭା ହୋଇଥିବା ସୀମା ବିବାଦକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିବା ସହ ବିଭିନ୍ନ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ଏବଂ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ମାଣିକପାଟଣାରେ ସୀମା ବିବାଦ ଦେଖା ଦେଇଛି । ବିବାଦର ସମାଧାନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି । କେନ୍ଦ୍ରମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସୀମା ବିବାଦର ସମାଧାନ ପାଇଁ ଏକ ସର୍ବଦଳୀୟ ବୈଠକ ଡକାଯାଉ । ବୈଠକରେ ସୀମା ବିବାଦ ପାଇଁ ଗଠନ କରାଯାଇଥିବା ଆନ୍ତଃରାଜ୍ୟ କମିଟିର ଅଗ୍ରଗତି କାର୍ଯ୍ୟ ଉପରେ ସମୀକ୍ଷା କରାଯାଉ । ଏହାସହ ସୀମାବର୍ତ୍ତୀ ଗାଁ ଗୁଡ଼ିକରେ ନିଆଯାଇଥିବା ବିକାଶମୂଳକ କାର୍ଯ୍ୟ ଗୁଡ଼ିକର ତଥ୍ୟ ବୈଠକରେ ଉପସ୍ଥାପନ କରିବା ପାଇଁ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ସେ ଆହୁରି ଲେଖିଛନ୍ତି, ଶାନ୍ତିପୂର୍ଣ୍ଣ ଭାବରେ ଦୁଇ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା କରି ସୀମା ବିବାଦର ସମାଧାନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ୨୦୨୦ ଓ ୨୦୨୧ରେ ଚିଠି ଲେଖି ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଗତ ବର୍ଷ ମାନଙ୍କରେ ଏହି ସୀମା ବିବାଦର ସମାଧାନ ପାଇଁ ତାଙ୍କ ଦ୍ୱାରା ଉଦ୍ୟମ କରାଯିବା ସତ୍ତ୍ୱେ ଏଥିରେ କୌଣସି ପରିବର୍ତ୍ତନ ହୋଇ ନଥିବା ଭଳି ମନେ ହେଉଥିବା ଚିଠିରେ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ।
କେନ୍ଦ୍ରମନ୍ତ୍ରୀ ଚିଠିରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ବିଗତ କିଛି ଦିନ ମାନଙ୍କରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ସୀମାବର୍ତ୍ତୀ ଗ୍ରାମରେ ପ୍ରଶାସନିକ ହସ୍ତକ୍ଷେପ କରିବାର ଖବର ସାମ୍ନାକୁ ଆସୁଛି । ଆନ୍ଧ୍ର ସରକାରଙ୍କ ଦ୍ୱାରା ଏହି ବେଆଇନ ଓ ଦୁର୍ଭାଗ୍ୟପୂର୍ଣ୍ଣ ହସ୍ତକ୍ଷେପ କେବଳ କୋଟିଆରେ ସୀମିତ ହୋଇ ରହିନାହିଁ ବରଂ ଦକ୍ଷିଣ ଓଡ଼ିଶାରେ ଅନେକ ଗ୍ରାମକୁ ବ୍ୟାପିବାରେ ଲାଗିଛି । ନାମ ପରିବର୍ତ୍ତନ କରାଯାଇ ଆନ୍ଧ୍ର ସରକାରଙ୍କ ଦ୍ୱାରା ନୂତନ ଭାବେ ଗଠିତ ହୋଇଥିବା ପାର୍ବତୀପୂରମ ମାନ୍ୟମ ଜିଲ୍ଲାରେ ଏହିଭଳି ୨୧ଟି ଗ୍ରାମକୁ ଅନ୍ତର୍ଭୃକ୍ତ କରାଯାଇଛି । ଯାହାର ସଦର ମହକୂମା କୋଟିଆର ଅନେକ ଗ୍ରାମରୁ ୪୦ କିମି ଦୂରରେ ରହିଛି । ଆନ୍ଧ୍ର ସରକାର ସକ୍ରିୟ ଭାବେ ଏହି ସବୁ ଗ୍ରାମରେ ବିଭିନ୍ନ ଯୋଜନା ଓ ଉନ୍ନୟନ କାର୍ଯ୍ୟକୁ କାର୍ଯ୍ୟକାରୀ କରିବା ସହ ଅଞ୍ଚଳର ଅଧିବାସୀଙ୍କୁ ଆନ୍ଧ୍ରର ଅଂଶ ହେବା ପାଇଁ ପ୍ରଲୋଭନ ଦେଖାଉଛନ୍ତି ।
ଏଭଳି ସମୟରେ ଓଡ଼ିଶା ସରକାର ମଧ୍ୟ ସରଜମିନ ସ୍ତରରେ କ୍ରିୟାଶୀଳ ହେବାର ଆବଶ୍ୟକତା ରହିଛି । ଫଳସ୍ୱରୂପ ସରକାର ଏବଂ ପ୍ରଶାସନ ଏହି ସୀମାବର୍ତ୍ତୀ ଗ୍ରାମବାସୀଙ୍କ ନିକଟତର ହୋଇପାରିବ । ଜିଲ୍ଲା ମୁଖ୍ୟାଳୟ ବହୁ ଦୂରରେ ଥିବାରୁ ଲୋକମାନେ ଆନ୍ଧ୍ରପ୍ରଦେଶ ପ୍ରଶାସନ ପାଖରେ ହାଜର ହୋଇପାରନ୍ତି । ପଡ଼ୋଶୀ ରାଜ୍ୟ ଗୁଡ଼ିକ ମଧ୍ୟ ଏହିଭଳି ଭାବରେ ସୀମାବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ନାଗରିକଙ୍କୁ ଓଡ଼ିଶା ଠାରୁ ଦୂରେଇ ନେବା ପାଇଁ ସମାନ ଉପାୟ ଅବଲମ୍ବନ କରିପାରନ୍ତି । ଫଳସ୍ୱରୂପ ମାତୃଭୂମି ସହ ଥିବା ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ତୁଟିଯିବାର ଆଶଙ୍କା ତିଆରି ହେଉଛି । ଆନ୍ଧ୍ର ସରକାର ଯୋଜନାବଦ୍ଧ ଭାବରେ ସୀମାବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ରାସନ କାର୍ଡ, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରି ଗ୍ରାମବାସୀଙ୍କୁ ନିଜ ଆଡକୁ ଟାଣିବା ପାଇଁ ଚେଷ୍ଟା କରୁଛନ୍ତି ।