ଭୁବନେଶ୍ବର:ରାଜ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗିଛି । ବିପଦରେ ପଡିଛି ଗଜରାଜଙ୍କ ଜୀବନ । ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସମୟୋଚିତ ପଦକ୍ଷେପ ନିଆଯାଉ ବୋଲି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ପରିବେଶ ଓ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
ଚିଠିରେ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, ରାଜ୍ୟରେ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସମୟୋଚିତ ପଦକ୍ଷେପ ନିଆଯାଉ । ଓଡିଶାରେ ହାତୀ ମୃତ୍ୟୁ ତଥା ହାତୀ-ମଣିଷ ସଂଘର୍ଷ ସବୁଠାରୁ ବଡ଼ ଆହ୍ବାନ ହୋଇଛି । ହାତୀ ହେଉଛି ପରିବେଶ ସନ୍ତୁଳନ, ସାଂସ୍କୃତିକ ଐତିହ୍ୟ ଏବଂ ଓଡିଶାର ପରିଚୟ । ଗତ ଦଶନ୍ଧି ମଧ୍ୟରେ ରାଜ୍ୟରେ ୭୮୪ଟି ହାତୀ ପ୍ରାଣ ହରାଇବା ଦୁର୍ଭାଗ୍ୟର ବିଷୟ ।'' ରାଜ୍ୟରେ ହାତୀ ଓ ବନ୍ୟପ୍ରାଣୀଙ୍କ ମୃତ୍ୟୁକୁ ନେଇ ଚିନ୍ତାପ୍ରକଟ କରିବା ସହ ସେମାନଙ୍କର ସୁରକ୍ଷା ଓ ସଂରକ୍ଷଣ ପାଇଁ ସମୟୋଚିତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ପୃଥକ ପୃଥକ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଚିଠିରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁ ତଥା ହାତୀ-ମଣିଷ ସଂଘର୍ଷ ବଢିବାକୁ ଲାଗିଛି । ଏହା ଆମ ପାଇଁ ସବୁଠାରୁ ବଡ଼ ଆହ୍ବାନ ପାଲଟିଛି । ଏକ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ୭୮୪ଟି ହାତୀ ପ୍ରାଣ ହରାଇବା ଦୁର୍ଭାଗ୍ୟର ବିଷୟ । ଏ ମଧ୍ୟରୁ କେବଳ ଗତ ତିନି ବର୍ଷ ଭିତରେ ୨୪୫ଟି ହାତୀଙ୍କର ମୃତ୍ୟୁ ଘଟିଛି । ପ୍ରତିବର୍ଷ ହାରାହାରି ୮୦ଟି ହାତୀଙ୍କର ମୃତ୍ୟୁ ହୋଇଛି । ଚଳିତ ବର୍ଷ କେବଳ ମାର୍ଚ୍ଚ ମାସରେ 7ଟି ହାତୀଙ୍କର ମୃତ୍ୟୁ ହୋଇଥିଲା । ଯାହା ଗତ ତିନି ବର୍ଷ ମଧ୍ୟରେ ସର୍ବାଧିକ । ଅଧିକାଂଶ ହାତୀ ବିଦ୍ୟୁତ୍ ଆଘାତ, ଟ୍ରେନ ଦୁର୍ଘଟଣାର ଶିକାର ହେବା ପରିତାପର ବିଷୟ ହୋଇଛି । ହାତୀ ଓ ହଜାର ହଜାର ବନ୍ୟପ୍ରାଣୀଙ୍କର ମଧ୍ୟ ଏହିଭଳି ଅଭାବନୀୟ ମୃତ୍ୟୁ ଘଟୁଛି । ୨୦୧୭ -୧୮ରୁ ୨୦୨୧-୨୨ ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ୪୧୬ଟି ହାତୀଙ୍କୁ ମିଶାଇ ସମୁଦାୟ ୨,୭୭୬ଟି ବନ୍ୟଜନ୍ତୁଙ୍କର ମୃତ୍ୟୁ ଘଟିଥିବା ଚିଠିରେ ଉଲ୍ଲେଖ ରହିଛି ।