ଭୁବନେଶ୍ୱର:ରାଉରକେଲାରେ ହଇଜା ସଂକ୍ରମଣ ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଂକ୍ରମଣକୁ ରୋକିବା ପାଇଁ ତ୍ୱରିତ ପଦକ୍ଷେପ ପାଇଁ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେବା ପାଇଁ ଏକ୍ସରେ ଟ୍ବିଟ କରିଛନ୍ତି । ଏନେଇ ରାଜ୍ୟ ସରକାର ତୁରନ୍ତ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଚିକିତ୍ସିତ ହେଉଥିବା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ବୋଲି ଉଲ୍ଲେଖ କରିଛନ୍ତି । ଏହାସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ମଧ୍ୟ ଚିଠି ଲେଖିଛନ୍ତି । ବ୍ୟକ୍ତିଗତ ଭାବେ ତଦାରଖ କରି ସଂକ୍ରମଣ ରୋକିବାକୁ ତ୍ୱରିତ ପଦକ୍ଷେପ ନେବାକୁ ଅପିଲ କରିଛନ୍ତି ଧର୍ମେନ୍ଦ୍ର ।
ଧର୍ମେନ୍ଦ୍ର ପ୍ରଧାନ ନିଜ ଏକ୍ସରେ କହିଛନ୍ତି," ରାଉରକେଲା ସହର ସହିତ ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେବ ଡାଇରିଆ ଲାଗି ରହିଥିବା କାରଣରୁ ଲୋକମାନେ ମୃତ୍ୟୁବରଣ କରିଥିବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦଗତି କାମନା କରିବା ସହ ଆକ୍ରାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଚିକିତ୍ସିତ ହେଉଥିବା ଲୋକମାନେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ, ଏହା ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା । ରାଉରକେଲା ଭଳି ମହାନଗର ଅଞ୍ଚଳରେ ଡାଇରିଆ ସଂକ୍ରମଣରେ ଶତାଧିକ ଲୋକ ଆକ୍ରାନ୍ତ ହେବା ଓ ପ୍ରଶାସନର ନିୟନ୍ତ୍ରଣ ବାହାରକୁ ଚାଲିଥିବା ଚିନ୍ତାଜନକ ।"
ସେ ଆହୁରୀ ମଧ୍ୟ କହିଛନ୍ତି,"ରାଜ୍ୟ ସରକାର ତୁରନ୍ତ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱର ସହ ନେଇ ଚିକିତ୍ସିତ ହେଉଥିବା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ । ସଂକ୍ରମିତ ଅଞ୍ଚଳରେ ଘର ଘର ବୁଲି ଲୋକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସଚେତନତା ସୃଷ୍ଟି କରାଯାଉ । ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେବା ସହ ଉକ୍ତ ଅଞ୍ଚଳରେ ନାଗରିକଙ୍କୁ ଅତ୍ୟାବଶ୍ୟକ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ତ୍ୱରିତ ପଦକ୍ଷେପ ନିଅନ୍ତୁ । "