ଭୁବନେଶ୍ବର:କଟକ ସତ୍ୟଭାମାପୁର ଗସ୍ତ କରି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମେ ସତ୍ୟଭାମାପୁର ସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ମଧୁବାବୁଙ୍କ ଏନ୍ତୁଡ଼ିଶାଳ ବୁଲିଥିଲେ କେନ୍ଦ୍ରମନ୍ତ୍ରୀ । ମଧୁବାବୁଙ୍କ ଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ‘‘ଓଡ଼ିଆ ଜାତି ପାଇଁ କୁଳବୃଦ୍ଧ ମଧୁବାବୁଙ୍କ ବଡ ସ୍ୱପ୍ନ ଓ ବଡ ଚିନ୍ତା ବ୍ୟର୍ଥ ଯିବନାହିଁ । ମହାପ୍ରଭୁଙ୍କ ଧାମ ଯେତିକି ପବିତ୍ର, ମଧୁବାବୁଙ୍କ ଜନ୍ମସ୍ଥାନ ମଧ୍ୟ ସମସ୍ତଙ୍କ ପାଇଁ ସେତିକି ପବିତ୍ର କ୍ଷେତ୍ର’’ ।
''ବର୍ତ୍ତମାନର ଦେଶ ବିଦେଶର ରାଜନୀତି, ସମାଜିକ ନୀତି ଓ ଅର୍ଥନୀତିକୁ ଶତାବ୍ଦୀ ପୂର୍ବରୁ ଆମ ସମସ୍ତଙ୍କ ପ୍ରିୟ ଯୁଗପୁରୁଷ ମଧୁବାବୁ କଳ୍ପନା କରିଥିଲେ । ଓଡ଼ିଆ ସ୍ୱାଭିମାନ, ଅସ୍ମିତା, ଭାଷା, ଓଡ଼ିଆ ଯୁବକର ଶିକ୍ଷା, ରୋଜଗାର ଏବଂ ଓଡ଼ିଶାର ବିକାଶ କଥା ଭାବିଥିଲେ । ଓଡ଼ିଆ ଲୋକ ବଡ ଭାବିପାରେ, ବଡ଼ ସ୍ୱପ୍ନ ଦେଖିପାରେ । ଏହା ତାଙ୍କ ବ୍ୟକ୍ତିତ୍ୱରୁ ଅନୁମେୟ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ଶିଳ୍ପ ଓ ଦକ୍ଷତାର ବିକାଶ ପାଇଁ ମଧୁବାବୁଙ୍କ ଅବଦାନ ଚିର ସ୍ମରଣୀୟ ହୋଇରହିବ । ''
କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ''ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ୧୩ ବର୍ଷ ପରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ୨୦୪୭ ସୁଦ୍ଧା ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବ । ଦେଶର ଅମୃତ କାଳ ସମୟରେ ମଧୁବାବୁଙ୍କ ୨୦୦ ବର୍ଷ ଜୟନ୍ତୀ ହେବ । ସେଥିପାଇଁ ଆମେ ଯୋଜନା କରିବା ଦରକାର । ମଧୁବାବୁଙ୍କ ଜୟନ୍ତୀକୁ ସବୁବେଳେ ଓଡ଼ିଆ ଲୋକମାନେ ପାଳନ କରନ୍ତୁ । ତାଙ୍କର ପୁଣ୍ୟ ଜନ୍ମ ଦିବସରେ ଓଡ଼ିଆ ଭାଷା, ଜାତି, ସଂସ୍କୃତି, ଅସ୍ମିତାକୁ ନେଇ ସାଢେ ୪ କୋଟି ଓଡ଼ିଆ ଲୋକମାନଙ୍କ ଆତ୍ମବିଶ୍ୱାସ ଜାଗ୍ରତ ହେଉ, ଏହା ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । '' ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ମଧୁସୂଦନ ଦାସଙ୍କ ଜନ୍ମପୀଠ ପରିସରରେ ଆୟୋଜିତ ପ୍ରଦର୍ଶନୀ ପରିଦର୍ଶନ କରିଛନ୍ତି ।
ଗତକାଲି କଟକ ସାଲେପୁରରେ ଆୟୋଜିତ ସାଲେପୁର ମହୋତ୍ସବ-୨୦୨୩ ଏବଂ ଉତ୍କଳ ଗୌରବ ମଧୁବାବୁ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ତଥା ମଧୁବାବୁଙ୍କ ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ସାଲେପୁର ମହୋତ୍ସବ ସାମାଜିକ ଲୋକପର୍ବରେ ପରିଣତ ହୋଇଥିବା କହିଥିଲେ ଧର୍ମେନ୍ଦ୍ର । ଦୀର୍ଘ ୧୭ ବର୍ଷ ଧରି ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଆସୁଥିବାରୁ ‘ଉତ୍କଳ ଗୌରବ ମଧୁବାବୁ ଜୟନ୍ତୀ କମିଟି’କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର