ଭୁବନେଶ୍ବର: ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ପରିବାର ସହ ଜଡିତ ଓଡ଼ିଶାର ଏକାଧିକ ମଦ ଭାଟି ଓ ଦୋକାନରୁ ଶହ ଶହ କୋଟି ଟଙ୍କା ଜବତ ହେବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ପ୍ରସଙ୍ଗରେ ଏବେ ଜାତୀୟ ରାଜନୀତି ମଧ୍ୟ ବେଶ ସରଗରମ ହୋଇଛି । ବାରମ୍ବାର ଏହି ପ୍ରସଙ୍ଗରେ ବିଜେପିର କେନ୍ଦ୍ରୀୟ ଶୀର୍ଷ ନେତୃତ୍ବ କଂଗ୍ରେସକୁ ଟାର୍ଗେଟ୍ କରୁଛନ୍ତି । ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବାରମ୍ବାର କଂଗ୍ରେସକୁ ଟାର୍ଗେଟ କରିବା ଜାରି ରଖିଛନ୍ତି । ଯେତେ ବି ପ୍ରଭାବଶାଳୀ ହୁଅନ୍ତୁ, ଗରିବ ଓଡିଶାବାସୀଙ୍କ ଟଙ୍କାକୁ ଯିଏ ଲୁଟିଛି ତାକୁ ଜେଲ ପଠାଯିବ ବୋଲି କହି ଆଜି ପୁଣିଥରେ କଂଗ୍ରେସକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ନରେନ୍ଦ୍ର ମୋଦିଙ୍କର ଶାସନ ବ୍ୟବସ୍ଥାକୁ ସାରା ଭାରତରେ ଲୋକେ ପସନ୍ଦ କରୁଛନ୍ତି । ଯେଉଁମାନେ ଏହି ଘଟଣାରେ ସଂଶ୍ଳିଷ୍ଟ ଅଛନ୍ତି, ମୋଦି ସରକାର କାହାକୁ ମଧ୍ୟ ଛାଡିବ ନାହିଁ । ଯେତେ ବି ପ୍ରଭାବଶାଳୀ ଲୋକ ହୁଅନ୍ତୁ, ଗରିବ ଓଡିଶାବାସୀଙ୍କ ଟଙ୍କାକୁ ଯେଉଁମାନେ ଲୁଟୁଛନ୍ତି, ତାଙ୍କୁ ଜେଲ୍କୁ ନିଶ୍ଚୟ ପଠାଯିବ । ସେ କେହି ବି ହେଇଥାଆନ୍ତୁ । ଯେଉଁ ବନ୍ଧୁମାନଙ୍କ ନାଁ ଆସୁଛି, ଏହା କଂଗ୍ରେସର ଜଣେ ବରିଷ୍ଠ ରାଜ୍ୟସଭା ସଦସ୍ୟଙ୍କ ପରିବାରର କମ୍ପାନୀ । ନିରନ୍ତର ଭାବେ ସେ ଓଡିଶାରେ ବ୍ୟବସାୟ କରି ଆସୁଥିଲେ । ତେଣୁ ଯେଉଁମାନଙ୍କୁ ଉତ୍ତର ଦେବାକୁ ପଡ଼ିବ, ସେମାନେ ମୁହଁରେ ତୁଣ୍ଡି ନବାନ୍ଧି ଉତ୍ତର ଦେବାକୁ ବାଧ୍ୟ ହେବେ, ଏହା ଲୋକଙ୍କ ଅପେକ୍ଷା ।"
ଏହା ମଧ୍ୟ ପଢ଼ନ୍ତୁ...ପୁଣି ଆରମ୍ଭ ହେଲା ଟଙ୍କା ଗଣତି, ଆଜି ସନ୍ଧ୍ୟା ସୁଦ୍ଧା ସରିବ