ଭୁବନେଶ୍ବର: ଓଡିଶା ସରକାରଙ୍କ ଦ୍ବାରା ବାର୍ଦ୍ଧକ୍ୟ ଭତ୍ତା ଓ ଦିବ୍ୟାଙ୍ଗ ମାନଙ୍କ ସାମାଜିକ ସୁରକ୍ଷା ଭତ୍ତାକୁ ଡିବିଟି ବଦଳରେ ନଗଦ ଅର୍ଥ ଆକାରରେ ଦିଆନଯାଉ । ଏହି ନିର୍ଣ୍ଣୟ ଦୁର୍ନୀତିମୁକ୍ତ ଶାସନ ଦିଗରେ ପଛଘୁଞ୍ଚା ଦେବ ତଥା ଜନକଲ୍ୟାଣ ସେବା ପ୍ରଦାନ କରିବାର ବୀପରିତ ଦିଗକୁ ଦର୍ଶାଉଛି । ତେଣୁ ସ୍ବଚ୍ଛତା ବଜାୟ ରଖିବା ତଥା ଭ୍ରଷ୍ଟାଚାରକୁ ଦୂର କରିବାର ପ୍ରତିବଦ୍ଧତାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ନଗଦ ଅର୍ଥ ପ୍ରଦାନ ଜରିଆରେ ମଧ୍ୟସ୍ଥିଙ୍କ ଦ୍ବାରା ଦୁର୍ନୀତି, ହେରଫେର କାରଣରୁ ହିତାଧିକାରୀମାନେ ଅତୀତରେ ଶୋଷଣ ହେବାର ଅନେକ ନଜିର ରହିଛି । ଓଡିଶା ସରକାରଙ୍କ ଦ୍ବାରା ହିତାଧିକାରୀଙ୍କୁ ନଗଦ ଅର୍ଥ ପ୍ରଦାନ କରିବାର ନିଷ୍ପତ୍ତି ପୁଣି ଥରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ ଦେବ । ତେଣୁ ଡିବିଟି ପ୍ରକ୍ରିୟା ରେ ବରିଷ୍ଠ ନାଗରିକ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ଭତ୍ତା ସହାୟତା ପ୍ରଦାନ କରାଯାଉ ।
ଧର୍ମେନ୍ଦ୍ର କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଭାରତ ସରକାରଙ୍କ ଯୋଜନା ଗୁଡିକ ବିନା କୌଣସି ମଧ୍ୟସ୍ଥିରେ ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚୁଛି । ଜନଧନ ଯୋଜନାର ଏହାର ଏକ ଉଦାହରଣ । ଓଡିଶାରେ ମଧ୍ୟ ଏହି ଯୋଜନାରେ ୨୦ ଲକ୍ଷ ୯୫ ହଜାର ୬୯୫ ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ସହାୟତା ପ୍ରଦାନ କରାଯାଉଛି । ଏହି ହିତାଧିକାରୀ କୌଣସି ଭ୍ରଷ୍ଟାଚାର ବିନା ସିଧାସଳଖ ନିଜ ବ୍ୟାଙ୍କ ଖାତାରେ ସହାୟତ ରାଶି ପାଉଛନ୍ତି । ଡିବିଟି ବ୍ୟବସ୍ଥା କାରଣରୁ ରାଜକୋଷକୁ ସହାୟକ ହେବା ସହ ନକଲି କିମ୍ବା ଭୁତ ହିତାଧିକାରୀ ବାଦ ପଡିଛନ୍ତି ଏବଂ ମଧ୍ୟସ୍ଥିଙ୍କ ଆବଶ୍ୟକତା ମଧ୍ୟ ହ୍ରାସ ପାଇଛି ଏବଂ ଭ୍ରଷ୍ଟାଚାର ମୁକ୍ତ ଓ ସ୍ବଚ୍ଛ ରହିଛି ।