ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ବେଳେ ଭାଷଣ ଦେବା ସମୟରେ ରାଜ୍ୟରେ କାହାର ଶାସନ ଚାଲିଛି ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଧର୍ମେନ୍ଦ୍ରଙ୍କ ଏହି ବୟାନକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିପାରୁନାହାନ୍ତି, ପୋଲିସ ଡିଜି ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିପାରୁନାହାନ୍ତି । ବିଧାୟକମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନଥିବା ଧର୍ମେନ୍ଦ୍ର ଆରୋପ ଲଗାଇଥିଲେ । ଏହା ସହିତ ରାଜ୍ୟକୁ କିଏ ଶାସନ କରୁଛି ବୋଲି ପ୍ରଶ୍ନ କରିଥିଲେ ଧର୍ମେନ୍ଦ୍ର । ଧର୍ମେନ୍ଦ୍ରଙ୍କ ଏହି ପ୍ରଶ୍ନକୁ ନେଇ ଏବେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଆଲୋଚନା । ତେବେ ରାଜ୍ୟରେ ଛାୟା ଶାସନ ଚାଲିଛି ବୋଲି କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ । ସେ ସିଧାସଳଖ କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ ଶାସନ ଚଳାଉଛନ୍ତି । ତାଙ୍କରି ନିର୍ଦ୍ଦେଶରେ ସବୁ କିଛି ଚାଲିଛି । ଧର୍ମେନ୍ଦ୍ର ଯାହା କହିଛନ୍ତି ତାହା ଏହି ଦିଗ ଆଡକୁ ଇସାରା କରୁଛି ବୋଲି ସହଦେବ ମତ ରଖିଛନ୍ତି ।
'ନିରଙ୍କୁଶ କ୍ଷମତା ଉପଭୋଗ କରୁଛନ୍ତି ପାଣ୍ଡିଆନ': ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁଙ୍କ ମତରେ ୨୦୧୭ ମସିହାରୁ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ । ଆଉ ତାଙ୍କ ପାଖେ ପାଖେ ରହୁଛନ୍ତି ପାଣ୍ଡିଆନ । ତେଣୁ ଯାହା ବି ଫାଇଲ ଆସୁଛି କିମ୍ବା ସରକାରୀ ନିର୍ଦ୍ଦେଶନାମା ବାହାରୁଛି, ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କ କହିବା ଅନୁସାରେ କେବଳ ଦସ୍ତଖତ କରୁଛନ୍ତି । ତେଣୁ ଛାୟା ଶାସନ ଚାଲିଛି ବୋଲି କହିବାରେ କୌଣସି ଅସୁବିଧା ନାହିଁ । ନିକଟରେ କେନ୍ଦ୍ରାପଡ଼ା ଗସ୍ତରେ ଯାଇଥିଲେ 5T ସଚିବ ଭିକେ ପାଣ୍ଡିଆନ । କିଛି ଆର୍ଥିକ ଘୋଷଣା କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଶଂସୋଧନ କରି କହିଥିଲେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିବାକୁ ଯାଉଛନ୍ତି । ଅର୍ଥାତ ନିରଙ୍କୁଶ କ୍ଷମତା ଉପଭୋଗ କରୁଛନ୍ତି ପାଣ୍ଡିଆନ । ଯେଉଁ ଆର୍ଥିକ ମଞ୍ଜୁରୀ ଅର୍ଥ ମନ୍ତ୍ରୀ କରିବା କଥା, ଏପରିକି ମୁଖ୍ୟମନ୍ତ୍ରୀ କରିବା କଥା ତାହା ମଧ୍ୟ ପାଣ୍ଡିଆନ କରିଦେଉଛନ୍ତି । ଏଥିରୁ ସହଜରେ ଅନୁମାନ କରାଯାଇପାରେ ରାଜ୍ୟରେ କେମିତି ଚାଲିଛି ଶାସନ ବ୍ୟବସ୍ଥା ।
'ବିରୋଧୀ ଇଙ୍ଗିତ ନୁହେଁ, ସ୍ପଷ୍ଟ କରିବା ଦରକାର': ଏନେଇ କଟାକ୍ଷ କରି ସହଦେବ କହିଛନ୍ତି, "ଶିବଙ୍କୁ ଯଦି ଦର୍ଶନ କରି ନହୁଏ, ତେବେ ନନ୍ଦିଙ୍କୁ ଛୁଇଁ ମୁଣ୍ଡିଆ ମାରିବା ସହିତ ତାଙ୍କ କାନରେ କିଛି କହିଲେ କାମ ହୋଇଯାଉଥିବା ବିଶ୍ବାସ ରହିଛି । ଏବେ ଓଡ଼ିଶା ସରକାର ମଧ୍ୟ ସେହି ନ୍ୟାୟରେ ଚାଲିଛି । ଯଦି ମୁଖ୍ୟମନ୍ତ୍ରୀଙ୍କ ସହିତ ଦେଖା ହୋଇପାରୁନାହିଁ, ତେବେ ପାଣ୍ଡିଆନଙ୍କୁ ଦେଖା କରି କହିଲେ କିମ୍ବା ତାଙ୍କ ପାଖ ଲୋକଙ୍କୁ ଦେଖା କରି କହିଲେ କାମ ହୋଇଯାଉଛି ।" ତେଣୁ ଗଣତନ୍ତ୍ର ଅପଭ୍ରଂଶ ହୋଇଗଲାଣି ବୋଲି କହିଛନ୍ତି ସହଦେବ ସାହୁ ।