ଭୁବନେଶ୍ବର: ଆଜି ୫୧ ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ସରକାରଙ୍କ ରୋଜଗାର ମେଳାର ଅଷ୍ଟମ ସଂସ୍କରଣରେ ନବନିଯୁକ୍ତ ପ୍ରାର୍ଥୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଦେଇଛନ୍ତି ନିଯୁକ୍ତି ପତ୍ର । ଏହି କ୍ରମରେ ଓଡ଼ିଶାରେ ମଧ୍ୟ ରୋଜଗାର ମେଳା ଆୟୋଜିତ ହୋଇଥିବାବେଳେ ଏଠାରେ ବିଭିନ୍ନ ରାଜ୍ୟରୁ ୩୪୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ଵର ରେଲୱେ ଅଡିଟୋରିୟମଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଏହି ରୋଜଗାର ମେଳା କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ, ସୀମା ସୁରକ୍ଷା ବଳ, ସଶସ୍ତ୍ର ସୀମା ବଳ, ଏସ୍ଏସ୍ବି, ଆସାମ ରାଇଫଲ୍ସ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ବା ସିଆଇଏସ୍ଏଫ୍, ଇଣ୍ଡୋ ତିବ୍ଦତ ସୀମା ପୋଲିସ ବା ଆଇଟିବିପି ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନ୍ସିବି ଏବଂ ଦିଲ୍ଲୀ ପୋଲିସରେ ଯବାନମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସାରା ଦେଶରୁ ମନୋନୀତ ହୋଇଥିବା ନୂତନ ନିଯୁକ୍ତ କର୍ମଚାରୀ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କନଷ୍ଟେବଳ, ସବ୍-ଇନ୍ସପେକ୍ଟର ଏବଂ ଅଣ-ଜେନେରାଲ ଡ୍ୟୁଟି କ୍ୟାଡର ପଦବୀରେ ଯୋଗଦେବେ ।