ଭୁବନେଶ୍ବର: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ତଦନ୍ତକୁ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଏହାପରେ ସି-ସୋର ଚିଟ୍ଫଣ୍ଡ ମାମଲାରେ ସିବିଆଇ ମଧ୍ୟ ଆକ୍ଟିଭ ହୋଇଛି । ତେବେ ବିଭିନ୍ନ ମାମଲାରେ ଉଭୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ହସ୍ତକ୍ଷେପ କରି ତଦନ୍ତ ଜାରି ରଖିଥିବାବେଳେ, ଏହାକୁ ନେଇ ଆରମ୍ଭ ହୋଇଛି ବିଜେପି ଓ ବିଜେଡି ଭିତରେ ରାଜନୀତି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଓ ବିଜେଡି ସାଂସଦ ମୁନ୍ନା ଖାନ୍ ।
ଇଡି ଓ ସିବିଆଇ ଆକ୍ଟିଭ ହେବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କହିଛନ୍ତି, "ଯେତେବେଳେ ଇଡି କିମ୍ବା ସିବିଆଇ(CBI) କେସ୍ ନିଏ ସେବେ ନିରପେକ୍ଷ ଭାବେ କାମ ହୁଏ । ସେଥିରେ କେହି ହସ୍ତକ୍ଷେପ କରନ୍ତି ନାହିଁ । ଅର୍ଚ୍ଚନା ଘଟଣାର ଚେର କେଉଁ ଯାଏଁ ଲମ୍ବିଛି ତଦନ୍ତ ପରେ ସବୁ ଜଣା ପଡିଯିବ । ଶାସକ ଦଳ ହେଉ ବିରୋଧୀ ଦଳ, ଯିଏ ଯେମିତି କର୍ମ କରିଥିବ ସେ ତାର ଫଳ ଭୋଗିବ । ସେହିଭଳି ଓଡ଼ିଶାରେ ଚିଟଫଣ୍ଡଠୁ ନେଇ ବହୁତ ବିଷୟ ରହିଛି । ଇଡି ଓ ସିବିଆଇ ସେମାନେ ତାଙ୍କ ପ୍ରୋସିଜିଅର ଅନୁଯାୟୀ କାମ କରୁଛନ୍ତି ।" ତେବେ ୨୦୨୩ ସୁଦ୍ଧା କଣ ହେଉଛି ଆପଣ ମାନେ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।