ଭୁବନେଶ୍ବର: ଅମିତ ଶାହଙ୍କ ଓଡ଼ିଶା ଗସ୍ତ ପରେ ବିଜେଡି-ବିଜେପି ସମ୍ପର୍କକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ସଂସଦରେ ମଧ୍ୟ ବିଜେପିକୁ ଖୋଲାଖୋଲି ସମର୍ଥନ କରି ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇଛି ବିଜେଡି । ତେବେ ଦୁଇ ଦଳର ଏହି ବନ୍ଧୁତ୍ବ ସମ୍ପର୍କକୁ ନେଇ ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ଓଡ଼ିଶାରେ ଏକାକୀ ନିର୍ବାଚନ ଲଢ଼ି ସରକାର ଗଠନ କରିବୁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ । ସେପଟେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ର ମନ୍ତ୍ରୀ ଅଶ୍ବିନୀ ଚୌବେ କିନ୍ତୁ ଏଭଳି ଖୋଲାଖୋଲି ପ୍ରତିକ୍ରିୟା ଦେଇନାହାନ୍ତି । ନିର୍ବାଚନରେ ଏତେ ପୂର୍ବରୁ କିଛି ଅନୁମାନ କରି ହୁଏନି ବୋଲି ସେ କହିଛନ୍ତି ।
ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି, ''୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (BJP) ଓଡ଼ିଶାରେ ଏକାକୀ ଲଢିବ । କୌଣସି ମେଣ୍ଟ ହେବନି । ବିଜେପି ଏକାକୀ ଲଢି ସରକାର ଗଠନ କରିବ ।'' ସେପଟେ କେନ୍ଦ୍ର ସରକାରଙ୍କୁ ସବୁବେଳେ ବିଜେଡିର ସହଯୋଗ ଓ ବିଜେଡି ସହ ସମ୍ଭାବ୍ୟ ମେଣ୍ଟ ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ଚୌବେ ଖୋଲାଖୋଲି ଏହା ଉପରେ ପ୍ରତିକ୍ରିୟା ରଖିନାହାନ୍ତି । ସେ କହିଛନ୍ତି, "ରାଜନୀତିରେ କଣ ହେବ, କଣ ନହେବ ଏବେଠୁ କିଛି କହିହେବନି । ଏନେଇ କେନ୍ଦ୍ରୀୟ ନେତୃତ୍ଵ ନିଷ୍ପତ୍ତି ନେବେ । ସମୟ ଆସିଲେ ସବୁ କିଛି ଜଣାପଡ଼ିବ । ବିଜେପି ଏକ ସଶକ୍ତ ସଂଗଠନ । NDA ମେଣ୍ଟ ସହ ଆମେ ସାରା ଦେଶରେ ଆଗକୁ ଯାଉଛୁ । ଆମର ରାସ୍ତା ସମ୍ପୂର୍ଣ୍ଣ ପରିଷ୍କାର ।"
ଏହାମଧ୍ୟ ପଢନ୍ତୁ: Amit Shah in Odisha: ଗୋଟିଏ ମଞ୍ଚରେ ଶାହ ଓ ନବୀନ; ପରସ୍ପରକୁ କଲେ ପ୍ରଶଂସା