ଭୁବନେଶ୍ବର:ଦେଶରେ ମିଶନ ମୋଡରେ ଫାଇଲେରିଆ ଅଭିଯାନ । ସ୍ୱାସ୍ଥ୍ୟକର୍ମୀଙ୍କ ସମ୍ମୁଖରେ ଔଷଧ ସେବନ କରିବା ବାଧ୍ୟତାମୂଳକ କରାଯାଇଛି। ୨୦୨୭ ସୁଦ୍ଧା ଲିମ୍ଫାଟିକ୍ ଫାଇଲେରିଆସିସକୁ ଦୂର କରିବା ପାଇଁ ସରକାର ପ୍ରୟାସ ଚଳାଇଛନ୍ତି । ସମସ୍ତେ ଯେଭଳି ସ୍ୱାସ୍ଥ୍ୟକର୍ମୀମାନଙ୍କ ଉପସ୍ଥିତିରେ ଫାଇଲେରିଆ ନିରୋଧୀ ଔଷଧ ଖାଇବେ ସେଥିପାଇଁ ପଦକ୍ଷେପ ନେବାକୁ କେନ୍ଦ୍ର ପରାମର୍ଶ ଦେଇଛି ।
୨୦୨୭ ସୁଦ୍ଧା ଲିମ୍ଫାଟିକ୍ ଫାଇଲେରିଆସିସକୁ ଦୂର କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ଥିବାବାେଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭୀୟ ଆଜି ଜାତୀୟ ସାମୂହିକ ଔଷଧ ପ୍ରୟୋଗ(ଏମଡିଏ)ର ବାର୍ଷିକ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟକୁ ଉଦଘାଟନ କରିଛନ୍ତି। ଏହି ଅବସରରେକେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି , “ଜନଭାଗିଦାରୀ ‘ସମ୍ପୂର୍ଣ୍ଣ ସରକାର' ଏବଂ ସମଗ୍ର ସମାଜ' ଆଭିମୁଖ୍ୟ ମାଧ୍ୟମରେ ଆମେ ଦେଶରୁ ଏହି ରୋଗକୁ ଦୂର କରିବାରେ ସକ୍ଷମ ହୋଇପାରିବ।"
ଆଜି ଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ସାମୁହିକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ । ଏଥିରେ ଓଡ଼ିଶା ସମେତ ଆସାମ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲଙ୍ଗାନା ଓ ଉତ୍ତର ପ୍ରଦେଶ ଆଦି 9ଟି ରାଜ୍ୟର 81ଟି ଜିଲ୍ଲାକୁ ସାମିଲ କରାଯାଇଛି । ଉଦଘାଟନୀ ଉତ୍ସବରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଟି. ଏସ୍. ସିଂହଦେଓ, ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ, ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ କେଶବ ମହାନ୍ତ ଓ ଝାଡ଼ଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା ପ୍ରମୁଖ ଭର୍ଚୁଆଲ ମୋଡରେ ଯୋଗ ଦେଇଛନ୍ତି।