ଭୁବନେଶ୍ବର:ଓଡ଼ିଶାରେ ଖୋଲିବ ଜାତୀୟ ବ୍ୟାଧି ନିୟନ୍ତ୍ରଣ କେନ୍ଦ୍ର (ଏନ୍ସିଡିସି)ର ଆଞ୍ଚଳିକ ଶାଖା । ମହାମାରୀ ରୋଗର ସଂକ୍ରମଣକୁ ରୋକିବା ଓ ଏହାର ସଫଳ ମୁକାବିଲା କରିବା ପାଇଁ ଖୁବଶୀଘ୍ର ରାଜ୍ୟରେ ଏହା ଖୋଲିବାକୁ ଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଓଡ଼ିଶା ସମେତ 6 ରାଜ୍ୟରେ ଏହାର ଶିଳାନ୍ୟାସ କରିଛନ୍ତି । ଆସାମ, ତାମିଲନାଡୁ, ହରିୟାଣା, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଓ ମିଜୋରାମରେ ଏନ୍ସିଡିସି ରାଜ୍ୟ ଶାଖା ସମେତ ହିମାଚଳ ପ୍ରଦେଶ ଓ ଝାଡଖଣ୍ଡରେ ବିଏସ୍ଏଲ୍-୩ର ଦୁଇଟି ପରୀକ୍ଷାଗାରର ଶିଳାନ୍ୟାସ କରିଛନ୍ତି । ଏହି ନୂଆ ଏନ୍ସିଡିସି ଶାଖା ଏବଂ ବିଏସ୍ଏଲ-୩ ଲ୍ୟାବ ସାମଗ୍ରିକ ସ୍ୱାସ୍ଥ୍ୟ ଆଭିମୁଖ୍ୟରେ ଦେଶର ମହାମାରୀ ମୁକାବିଲା ଓ ବ୍ୟାଧି ସତର୍କତା ସାମର୍ଥ୍ୟକୁ ସୁଦୃଢ କରିବାରେ ସମର୍ଥ ହେବ ବୋଲି କୁହାଯାଇଛି ।
ଏନ୍ସିଡିସିର ଏହି ଆଞ୍ଚଳିକ ଶାଖା ସିସିଏଚ୍ଏଫ୍, କେଏଫ୍ଡି, ସ୍କ୍ରବ ଟାଇଫସ୍ ଭଳି ସମ୍ପୃକ୍ତ ଅଞ୍ଚଳରେ ଦେଖାଯାଉଥିବା ବିଭିନ୍ନ ସଂକ୍ରାମକ ରୋଗର ସଫଳ ମୁକାବିଲା କରିପାରିବ । ଏନ୍ସିଡିସିର ପ୍ରଦେଶିକ ଶାଖା ଓ ବିଏସ୍ଏଲ-୩ ପରୀକ୍ଷାଗାର ଦ୍ୱୟ କାର୍ଯ୍ୟକ୍ଷମ ହେଲେ ଅତି ସଂକ୍ରାମକ ଓ ମହାମାରୀ ଭଳି ରୋଗର ସଂକ୍ରମଣକୁ ରୋକିବା ଓ ଏହାର ସଫଳ ମୁକାବିଲା କରିବାରେ ବିଶେଷ ଭାବରେ ସହାୟକ ହେବ । ସହଜ ଓ ସୁବିଧାରେ ଏହି କେନ୍ଦ୍ରରେ ରୋଗର ପରୀକ୍ଷା ଓ ଚିହ୍ନଟ କରାଯାଇପାରିବ । ସର୍ବୋପରି ଏହାଦ୍ୱାରା ପ୍ରଦେଶିକ ଓ ଆଞ୍ଚଳିକ ସ୍ତରରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଦକ୍ଷତା ବୃଦ୍ଧି କରାଯାଇପାରିବ ।