ଭୁବନେଶ୍ବର: ପୁରୀ ଜିଲ୍ଲା ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ଲୋକସେବକ ମଣ୍ଡଳୀକୁ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷା ହିଁ ଏ ଦିଗରେ ମାର୍ଗଦର୍ଶନ କରାଇବ । ଏକତା ଦକ୍ଷତା ବିକାଶର ଏନ୍ତୁଡିଶାଳ ବୋଲାଉଥିବା ବକୁଳ ବନ ବିଦ୍ୟାଳୟକୁ ସରକାରୀ ଶିକୁଳିରୁ ମୁକ୍ତ କରି ସାମାଜିକ ଉପକ୍ରମ ଭାବେ ରୂପାନ୍ତରିତ କରିବାର ଆବଶ୍ୟକତା ରହିଛି ବୋଲି ସେ ଲେଖିଛନ୍ତି ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ ସେ ପ୍ରଥମ ଓଡ଼ିଶା ଗସ୍ତରେ ସତ୍ୟବାଦୀ ବନ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହି ସମୟରେ ତାଙ୍କର ହୃଦୟଙ୍ଗମ ହୋଇଥିଲା ଯେ ଉତ୍କଳମଣି ଗୋପବନ୍ଧୁଙ୍କ ସହ ସମସ୍ତ ଶିକ୍ଷକ ଭାରତର ମୁକ୍ତି ସଂଗ୍ରାମରେ ଝାସ ଦେବା ଫଳରେ ସତ୍ୟବାଦୀ ବନବିଦ୍ୟାଳୟଟି କାଳଗର୍ଭରେ ଲୀନ ହୋଇଗଲା । ଫଳସ୍ୱରୂପ ବିଦ୍ୟାଳୟର ପ୍ରତିଷ୍ଠା କାଳରେ ଗୋପବନ୍ଧୁ ଦେଖିଥିବା ସ୍ୱପ୍ନ ସମ୍ପୂର୍ଣ୍ଣ ଫଳବତୀ ହୋଇପାରିଲା ନାହିଁ ।