ଆଞ୍ଚଳିକ ବୈଷମ୍ୟ ବୃଦ୍ଧି ଆଶଙ୍କା ଭୁବନେଶ୍ବର:ବିଧାନସଭାରେ 'କୋଶଳୀ' ଓ 'ସାନ୍ତାଳୀ' ଭାଷାରେ ପ୍ରଶ୍ନୋତ୍ତର ପରେ ଜୋର ଧରିଛି ରାଜ୍ୟ ରାଜନୀତି। ବିଧାନସଭାରେ ମାତୃଭାଷା ବ୍ୟବହାର ନାଁରେ ଆଞ୍ଚଳିକତାବାଦକୁ ପ୍ରୋତ୍ସାହିତ କରାଯାଉଥିବା କୁହାଯାଉଥିବା ବେଳେ, ଆଞ୍ଚଳିକ ବୈଷମ୍ୟ ବୃଦ୍ଧି ନେଇ ଆଶଙ୍କା ସୃଷ୍ଟି ହୋଇଛି। ରାଜନୀତି ମହଲରେ ଭିନ୍ନ ମତ ପ୍ରକାଶ ପାଇଥିବା ବେଳେ, ନିର୍ବାଚନକୁ ଇସାରା ଦେଇଛନ୍ତି ରାଜନୀତି ସମୀକ୍ଷକ ।
ବିଧାନସଭାରେ କୋଶଳୀ ଓ ସାନ୍ତାଳୀ ଭାଷା ପଶିବା ପରେ ଜୋର ଧରିଛି ରାଜନୀତି । କୋଶଳୀ ଭାଷାରେ ପ୍ରଶ୍ନୋତ୍ତର ଦ୍ବାରା ଆଞ୍ଚଳିକତାବାଦ ଅଭୂଦୟ ହେଉଛି କି ବୋଲି ରାଜନୀତି ମହଲରେ ପ୍ରଶ୍ନ ଉଠିଛି ? ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ପଶ୍ଚିମ ଓଡ଼ିଶା, ଉତ୍ତର ଓଡିଶା, ଦକ୍ଷିଣ ଓଡିଶା ଏବଂ ଉପକୂଳ ଓଡିଶାରେ ଆଞ୍ଚଳିକ ବୈଷମ୍ୟ ଦେଖାଦେଇଛି । ରାଜ୍ୟ ସରକାରଙ୍କ ବିକାଶର ଧାରାକୁ ନେଇ ଏହି ଆଞ୍ଚଳିକ ବୈଷମ୍ୟ ସୃଷ୍ଟି ହୋଇଛି । ରାଜ୍ୟରେ ସମାନ ଭାବରେ ବିକାଶ ହେଉନଥିବାରୁ ଏହି ଦୃଶ୍ୟ ବିଧାନସଭାରେ ମଧ୍ୟ ଦେଖିବାକୁ ମିଳୁଛି । ପଶ୍ଚିମ ଓଡ଼ିଶାରେ କାହିଁକି ହୋଇ ପାରିଲାନାହିଁ ହାଇକୋର୍ଟର ସ୍ଥାୟୀ ବେଞ୍ଚ ? ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟାଳୟ କାହିଁକି ହୋଇପାରିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି। ଶରତଙ୍କ କହିବା ହେଲା, ବିଧାନସଭାରେ ବିଭିନ୍ନ ଆଞ୍ଚଳିକ ଭାଷାର ବ୍ୟବହାର ଏହାର ଏକ ପ୍ରତିଫଳନ ।
ଏହାମଧ୍ୟ ପଢ଼ନ୍ତୁ: ବିଧାନସଭାରେ 'କୋଶଳୀ' ତାତି: ନରସିଂହଙ୍କ ଗୁଗୁଲିକୁ ପ୍ରତାପଙ୍କ ପ୍ରହାର !
ରାଜନୀତି ସମୀକ୍ଷକ ଅକ୍ଷୟ ସାହୁଙ୍କ ମତରେ, କୋଶଳୀ ହେଉ କି ସାନ୍ତାଳି ଭାଷା, ଏସବୁର ବ୍ୟବହାର ସାମୟିକ ଭାବେ ପ୍ରଭାବ ପକାଇବ । ଆଗକୁ ନିର୍ବାଚନ ଆସୁଛି । ଲୋକଙ୍କ ଇମୋସନ ସହିତ ଯୋଡ଼ି ହେବା ପାଇଁ କଂଗ୍ରେସ, ବିଜେପି ଓ ବିଜେଡି ବିଧାୟକମାନେ କୋଶଳୀ ଭାଷାର ବ୍ୟବହାର କରିଛନ୍ତି । ପଶ୍ଚିମ ଓଡିଶାରେ ବିଜେଡିର ପ୍ରଭାବ ଯେପରି ରହିଛି ସେତିକି ବେଳେ ଏପରି ଭାଷାର ବ୍ୟବହାର ଆଞ୍ଚଳିକ ବୈଷମ୍ୟ ତିଆରି କରିପାରିବ ନାହିଁ ବୋଲି ସେ ଜୋର ଦେଇ କହିଛନ୍ତି । ସେ କହିଛନ୍ତି ଯେ, ଓଲିଉଡ୍ ଅଭିନେତା ମନୋଜ ମିଶ୍ରଙ୍କ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ସମର୍ଥନ ଜଣାଇଥିଲେ । କୋଶଳୀ ଭାଷା ଏବଂ କୋଶଳିପ୍ରଦେଶକୁ ସ୍ବତନ୍ତ୍ର ମାନ୍ୟତା ଦାବି ମଧ୍ୟ ଜୋର ଧରିଥିଲା । ଆଗକୁ ନିର୍ବାଚନ ଥିବାରୁ ସାମୟିକ ଭାବେ ଲୋକଙ୍କ ଭାବାବେଗ ସହିତ ରହିବା ପାଇଁ ଏପରି ଭାଷାର ବ୍ୟବହାର କରାଯାଇଛି ବୋଲି କହିଛନ୍ତି ଅକ୍ଷୟ ସାହୁ ।
ଗତକାଲି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଥିଲେ ଯେ, ନିଜ ମାତୃଭାଷାରେ ପ୍ରଶ୍ନ କରିବା ଅପରାଧ ନୁହେଁ । ରାଜ୍ୟ ସରକାର ଚାହିଁଲେ କୋଶଳୀ ଭାଷାକୁ ଦ୍ବିତୀୟ ସରକାରୀ ଭାଷା ଭାବେ ଘୋଷଣା କରିପାରିବେ ବୋଲି ସେ ଦାବି କରିଥିଲେ । ଯେପରି ଛତିଶଗଡ଼, ଆନ୍ଧ୍ରପ୍ରଦେଶରେ ରହିଛି ସେପରି ଓଡିଶାରେ ମଧ୍ୟ ହୋଇପାରିବ । ବିଜେଡି ବିଧାୟକ ରାଜକିଶୋର ଦାସଙ୍କ ପ୍ରତିକ୍ରିୟା, ଏପରି ଭାଷା ବ୍ୟବହାରରେ କୌଣସି ଅସୁବିଧା ନାହିଁ ।
ଅଭିନେତା ମନୋଜ ମିଶ୍ରଙ୍କ ସିନେମାକୁ ନେଇ ବିବାଦ ଆରମ୍ଭ ହେବା ପରେ ଏଥିରେ ମୁଣ୍ଡ ପୁରାଇଥିଲେ ନରସିଂହ ମିଶ୍ର। ଏବେ ବିଧାନସଭାରେ କୋଶଳୀ ଭାଷାରେ ପ୍ରଶ୍ନ-ଉତ୍ତର ଏହି ବିବାଦକୁ ଅଧିକ ବଢ଼ାଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି କରାଯାଉଥିବା ରାଜନୈତିକ ସମୀକ୍ଷକ କହୁଥିବା ବେଳେ, କଂଗ୍ରେସ କହୁଛି ଏହା ଆଞ୍ଚଳିକ ବୈଷମ୍ୟକୁ ବଢ଼ାଉଛି । ଯାହାର ପ୍ରତିଫଳନ ବିଧାନସଭାରେ ଦେଖିବାକୁ ମିଳୁଛି ।
ଇଟିଭି ଭାରତ, ଭୁବନେଶ୍ବର