ବେକାର ଯୁବକଙ୍କୁ ନିଯୁକ୍ତି ଦେଉନି ଆଇଟିସି କମ୍ପାନୀ ଖୋର୍ଦ୍ଧା:ଜିଲ୍ଲାରେ ଥିବା ଆଇଟିସି କମ୍ପାନୀରେ ବେକାର ଯୁବକ ଯୁବତୀଙ୍କୁ ଦିଆଯାଉନି ନିଯୁକ୍ତି । ଯାହାକୁ ବିରୋଧ କରି ଆଜି କମ୍ପାନୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସହ ଜଟଣୀ ନାଗରିକ କମିଟି ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ ଏବଂ ଶତାଧିକ ବେକାର ଯୁବକ ।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଆଇଟିସି କମ୍ପାନୀରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ମିଳୁନାହିଁ । ସ୍ଥାନୀୟ ଅଞ୍ଚଳର ବହୁ ଯୋଗ୍ୟ ଶିକ୍ଷିତ ଯୁବକ ଯୁବତୀ ଥିବା ସତ୍ତ୍ବେ ସଂସ୍ଥା ରାଜ୍ୟ ବାହାରୁ ପିଲାଙ୍କୁ ଏଠାରେ ନିଯୁକ୍ତି ପ୍ରଦାନ କରୁଛି । ଯାହାକୁ ଏହାକୁ ତୀବ୍ର ବିରୋଧ କରି ଆଇଟିସି ଗେଟ ସମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଉକ୍ତ ସଂସ୍ଥା ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ପ୍ରଦାନ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କହିଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ । ଆମ ମାଟିରେ ଶିଳ୍ପ କରି ଆମ ପିଲାଙ୍କୁ ଚାକିରୀ ନଦେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାଵନୀ ଦେଇଛନ୍ତି ସୁର । ପ୍ରାୟ 35 ଏକର ଜମିରେ ଆଇଟିସି ସଂସ୍ଥା ନିର୍ମାଣ ହୋଇଛି ।
କଂଗ୍ରେସ ସମୟରେ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ହଜାର ଦିନରେ ହଜାରେ ଶିଳ୍ପ ଗଢ଼ିଥିଲେ, ଆଉ ଏବେ ମୁଖ୍ୟମନ୍ତ୍ରୀ ବିଦେଶ ଯାଇ ଶିଳ୍ପସଂସ୍ଥାଗୁଡ଼ିକୁ ନିମନ୍ତ୍ରଣ କରିବା ଘଟଣାକୁ ସମାଲୋଚନା କରିଛନ୍ତି ସୁର । ପୁରୁଣା ଶିଳ୍ପର ପୁନରୁଦ୍ଧାର ନକରି ନୂଆ ଶିଳ୍ପ ଗଢିବା ଅତ୍ୟନ୍ତ ନିନ୍ଦନୀୟ । ସେହିପରି ଜଟଣୀ ନାଗରିକ କମିଟି ସଭାପତି ମନ୍ମଥ ରାଉତରାୟ କହିଛନ୍ତି , ''ଏ ଲଢେଇ ବେକାର ଯୁବକ ଯୁବତୀଙ୍କ ପାଇଁ, ଏ ଲଢେଇ ଅଧିକାର ପାଇଁ ଓ ପେଟ ପାଇଁ । ନିର୍ଦ୍ଧିଷ୍ଟ ଭାବେ ଜଟଣୀ ଯୁବକମାନଙ୍କୁ ଏଠାରେ ନିଯୁକ୍ତି ନଦେବା ପାଇଁ ଷଡଯନ୍ତ୍ର ହୋଇଛି । ସ୍ଥାନୀୟ ପିଲାଙ୍କୁ ନିଯୁକ୍ତି ନମିଳିଲେ ଆନ୍ଦୋଳନକୁ ବ୍ୟାପକ କରାଯିବ । '' ସେପଟେ ଆଇଟିସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ଦେଶକୁ ଦେଶ ବୁଲି ରାଜ୍ୟକୁ ଶିଳ୍ପ ସଂସ୍ଥାଗୁଡ଼ିକୁ ନିମନ୍ତ୍ରଣ କରୁଛନ୍ତି ରାଜ୍ୟ ସରକାର । ଶିଳ୍ପ ସଂସ୍ଥାଗୁଡ଼ିକୁ ରିହାତି ମୂଲ୍ୟରେ ଜମି, ପାଣି, ବିଦ୍ୟୁତ ମଧ୍ୟ ପ୍ରଦାନ କରୁଛନ୍ତି ସରକାର । କିନ୍ତୁ ଶିଳ୍ପ ସଂସ୍ଥାମାନେ ଦେଉଥିବା ପ୍ରତିଶ୍ରୁତିରୁ ଓହରି ଯାଉଥିବା ଦେଖିବାକୁ ମିଳୁଛି । ଆଉ ଏହାର ପ୍ରତିବାଦ କରିଛି ଜଟଣୀ ନାଗରିକ କମିଟି ।
ଇଟିଭି ଭାରତ, ଖୋର୍ଦ୍ଧା