ଭୁବନେଶ୍ବର:ପୁଣି ଅଶାନ୍ତ ହେଲା ବିଜେବି କଲେଜ । କମେଣ୍ଟମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିବାରୁ 3 ଜଣ ଛାତ୍ର ଆହତ ହୋଇଛନ୍ତି । ଜଣେ ଯୁକ୍ତ ତିନି ଛାତ୍ର ଓ ଦୁଇ ଜଣ ଯୁକ୍ତ ଦୁଇ ଛାତ୍ର ରହିଥିବା ସୂଚନା ମିଳିଛି । କ୍ୟାମ୍ପସ ମଧ୍ୟରେ ଥିବା ଆମ୍ବେଦକର ହଷ୍ଟେଲ ଛାତ୍ର ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଦୁଇ ଗୋଷ୍ଠୀ ପକ୍ଷରୁ ମଧ୍ୟ ବଡ଼ଗଡ଼ ଥାନାରେ ଏତଲା ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ-ବିଜେବି କଲେଜରେ ଅଣଛାତ୍ର ଆକ୍ରମଣ ଘଟଣା, ଆଉ ୪ଜଣଙ୍କୁ ଗିରଫ କଲା ପୋଲିସ
ଗୁରୁବାର (ଅଗଷ୍ଟ 4) ଦିନ କମେଣ୍ଟମରା ଘଟଣାକୁ ନେଇ କଲେଜ ଅଧ୍ୟକ୍ଷଙ୍କୁ ଜଣାଇବାରୁ ଗୋଷ୍ଠୀ ସଂଘର୍ଷ ଘଟିଥିଲା । କଲେଜ କ୍ୟାମ୍ପସ ମଧ୍ୟରେ ଥିବା ଆମ୍ବେଦକର ହଷ୍ଟେଲରେ ବାରମ୍ବାର ଗଣ୍ଡଗୋଳ ନେଇ ଅଭିଯୋଗ ହେଉଛି । ଅଣଛାତ୍ର ମାନେ କଲେଜରେ ପ୍ରବେଶ ହେଉଥିବା ନେଇ ମଧ୍ୟ ଅନେକ ସମୟର ଅଭିଯୋଗ ହେଉଥିଲା । ଏହାକୁ ଦୃଷ୍ଟିରେ ରଖି କଲେଜ କର୍ତ୍ତୃପକ୍ଷ ଅଣଛାତ୍ର ପ୍ରବେଶକୁ ବାରଣ କରିବା ପାଇଁ ସବୁ ସ୍ଥାନରେ ପୋଷ୍ଟର ମାରିବା ସହ ସୁରକ୍ଷାକୁ କଡାକଡି କରିଥିଲେ ।
ସୂଚନା ଅନୁଯାୟୀ, ପୂର୍ବରୁ ଅନେକ ଥର ବିଜେବି କଲେଜ ପରିସରରେ ଗଣ୍ଡଗୋଳ ହୋଇଥିବା ନେଇ ଅନେକ ଖବର ସାମ୍ନାକୁ ଆସିଛି। ଜୁଲାଇ ୪ ତାରିଖରେ ବିଜେବି କଲେଜ ଓ ମହର୍ଷି କଲେଜରେ ଛାତ୍ରଗୋଷ୍ଠୀ ମଧ୍ୟରେ ମାର୍ପିଟ୍, ହଣାକଟା ହୋଇଥିବା ଦେଖିବାକୁ ମିଳିଥିଲା । ମହର୍ଷି କଲେଜର ଜଣେ ଦ୍ବିତୀୟ ବର୍ଷର ଛାତ୍ରକୁ ଅନ୍ୟ ଏକ ଗୋଷ୍ଠୀର ଜଣେ ଯୁବକ ଓ ତାର ସହଯୋଗୀମାନେ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଯାହା ଫଳରେ ଉକ୍ତ ଛାତ୍ର ଜଣଙ୍କ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ-Students Group Clash: ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ
ଅନ୍ୟପଟେ ବିଜେବି କଲେଜରେ ଜଣେ ଛାତ୍ରଙ୍କ ଜନ୍ମଦିନକୁ ପାଳନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଉଭୟ ଗୋଷ୍ଠୀ କ୍ୟାମ୍ପସ୍ରେ ମାର୍ପିଟ୍ କରିବା ସହ ଏକ କ୍ଲାସ ରୁମ୍ ମଧ୍ୟରେ ଦୁଇ ଜଣ ପିଲାଙ୍କୁ ବନ୍ଦ କରି ରଖିଥିଲେ । ପରବର୍ତ୍ତୀ ସମୟର ପୋଲିସ ଆସି ଉଦ୍ଧାର କରିଥିଲା । ତେବେ ଏହି ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । କଲେଜ ମଧ୍ୟରେ ସମାଧାନ ହୋଇ ନପାରିବାରୁ କଥା ଥାନାକୁ ଯାଇଥିଲା । ଏପଟେ ମଧ୍ୟ ସମସ୍ତ ଛାତ୍ରଙ୍କ ଉପରେ କଲେଜର ଏକ ଟିମ୍ ନଜର ରଖିଛି ।
ଇଟିଭି ଭାରତ, ଭୁବନେଶ୍ବର