ଓଡିଶା

odisha

ରାଜଧାନୀରେ ଲଜ୍ଜା: ଦୁଇ ନାବାଳିକାଙ୍କୁ ହାତ ଗୋଡ ବାନ୍ଧି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଗିରଫ

By

Published : Jan 18, 2023, 9:46 AM IST

Updated : Jan 18, 2023, 2:15 PM IST

ଭୁବନେଶ୍ବରରେ ଦୁଇ ନାବାଳିକାଙ୍କୁ ହାତ ଗୋଡ ବାନ୍ଧି ଗଣଦୁଷ୍କର୍ମ । ପଟିଆ ରେଳ ଷ୍ଟେସନ ନିକଟରେ ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ

ଭୁବନେଶ୍ବରରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ
ଭୁବନେଶ୍ବରରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ

ରାଜଧାନୀରେ ଲଜ୍ଜା

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ବରରେ ଦୁଇ ନାବାଳିକାଙ୍କୁ ପ୍ରଥମେ ଅପହରଣ ପରେ ହାତ ଗୋଡ ବାନ୍ଧି ଗଣଦୁଷ୍କର୍ମ । ରାଜଧାନୀର ଅନ୍ୟତମ ପଟିଆ ରେଳ ଷ୍ଟେସନ ନିକଟରେ ଦୁଇ ନାବାଳିକାଙ୍କୁ ରାତିସାରା ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ମଧ୍ୟରୁ ଜଣଙ୍କର ବୟସ ୧୨ ବର୍ଷ ଓ ଅନ୍ୟ ଜଣଙ୍କର ୧୪ ବର୍ଷ ହୋଇଥିବା ସୂଚନା ମିଳିଛି । ହକି ବିଶ୍ବକପ୍ ପାଇଁ ରଙ୍ଗୀନ ଆଲୋକମାଳାରେ ଝଟକୁଥିବା ରାଜଧାନୀରେ ଏଭଳି ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଘଟିବା ଏବେ ଚାରିଆଡେ ଆଲୋଡନ ଖେଳାଇଛି । ସେପଟେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ଗଣଦୁଷ୍କର୍ମ ପରେ ଦୁଇ ପୀଡିତା ଅଭିଯୁକ୍ତଙ୍କ କବଳରୁ ଖସି ଆସି ପରିବାର ଲୋକଙ୍କୁ ଜଣାଇବା ପରେ ଏନେଇ ଥାନାରେ ଅଭିଯୋଗ ହୋଇଛି । ଏହାସହିତ ସ୍ଥାନୀୟ ଏସିପି ଓ ଇନଫୋସିଟି ଥାନା ସହାୟତାରେ ଦୁଇ ନାବାଳିକାଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି । ଏହି ଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ମଲ୍ଲିକ(୨୩) ଓରଫ କାହ୍ନାକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ କଟକ ବାଙ୍କି ପଦନପୁର ଅଞ୍ଚଳର ବୋଲି ଜଣାପଡିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ଛାନଭିନ୍ ଜାରି ରହିଛି ।

ପୀଡିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସନ୍ଧ୍ୟା ସମୟରେ ଦୁଇ ନାବାଳିକା ପଟିଆ ରେଳ ଷ୍ଟେସନ କଡ଼ରେ ବୁଲୁଥିଲେ । ଏହି ସମୟରେ ସେଠାରେ ଥିବା କିଛି ଅସାମାଜିକ ଯୁବକ ସେମାନଙ୍କୁ ଅପହରଣ କରି ରେଳ ଓଭରବ୍ରିଜ ପାଖକୁ ନେଇଯାଇଥିଲେ । ସେଠାରେ ଅଭିଯୁକ୍ତମାନେ ଦୁଇ ନାବାଳିକାଙ୍କୁ ଗୋଡ ହାତ ବାନ୍ଧି ରାତିସାରା ଦୁଷ୍କର୍ମ କରିଥିଲେ । ପୀଡିତା ଯନ୍ତ୍ରଣାରେ ଛଟପଟ ହୋଇ ଛାଡିଦେବାକୁ ନେହୁରା ହୋଇଥିଲେ ମଧ୍ୟ କେହି ଶୁଣିନଥିଲେ । ଏପରିକି ଦୁଷ୍କର୍ମ ପରେ ଏକଥା କାହାକୁ ଜଣାଇଲେ ସେମାନେ ଦୁହିଁଙ୍କୁ ଛାଡିବେନି ବୋଲି ଧମକ ଦେଇଥିଲେ ।

ସକାଳେ ଦୁଇ ପୀଡିତା ସେଠାରୁ ଖସି ଆସି ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ । ଏନେଇ ପରିବାର ଲୋକେ ସେହି ଯୁବକମାନଙ୍କୁ ପଚରାଉଚରା କରିବାରୁ ଓଲଟା ସେମାନେ କିଛି ଟଙ୍କା ଦେଇ ମୁହଁ ବନ୍ଦ ରଖିବାକୁ ଧମକାଇ ଥିଲେ । ଏନେଇ ପରିବାର ଲୋକେ ଚାଇଲ୍ଡ ଲାଇନକୁ ଜଣାଇବା ପରେ ଥାନା ଅଭିଯୋଗ କରିଥିଲେ । ଘଟଣାଟି ପଟିଆ ରେଳ ଲାଇନ ପାଖରେ ଘଟିଥିବାରୁ ଏନେଇ ଜିଆରପିରେ ଅଭିଯୋଗ ହୋଇଛି । ଆଜି ଦୁଇ ପୀଡିତାଙ୍କ ବୟାନ ରେକର୍ଡ କରାଯିବା ସହ ଡାକ୍ତରୀ ମାଇନା ହେବ ବୋଲି ଜଣାପଡିଛି । ବର୍ତ୍ତମାନ ପୋଲିସ ଅଭିଯୁକ୍ତମାନଙ୍କୁ ଖୋଜାଖୋଜି ଚଳାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 18, 2023, 2:15 PM IST

ABOUT THE AUTHOR

...view details