ଖୋର୍ଦ୍ଧା:ଥମୁନି ହାତୀ ଉପଦ୍ରବ । ପୁଣି ମୁଣ୍ଡ ନେଲା ଦନ୍ତା । ରବିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ପାରିଓରଡ ପଞ୍ଚାୟତ ଜରିଟାପୁ ଗ୍ରାମରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୃତକମାନେ ହେଲେ କୃଷ୍ଣ ଚନ୍ଦ୍ର ପ୍ରଧାନ ଏବଂ ଲକ୍ଷ୍ମୀଧର ବେହେରା ବୋଲି ଜଣାପଡିଛି । ଦୁଇ ଚାଷୀ ଜମିକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ।
ସୂଚନା ମୁତାବକ, ଗତକାଲି(ରବିବାର) ରାତିରେ ଟାଙ୍ଗୀ ବନାଞ୍ଚଳ ବରିକୋ ଗ୍ରାମ ନିକଟରେ ୩ ଟି ଜଙ୍ଗଲୀ ହାତୀ ଆତଙ୍କ ଖେଳାଇ ଥିଲେ । ତେବେ ଲୋକେ ଧାନ ଜମିକୁ ସୁରକ୍ଷା ଦେବା ପାଇଁ ଏକାଠି ହେଉଥିବା ବେଳେ ବରିକୋ ଗ୍ରାମର ଲକ୍ଷ୍ମୀଧର ଓ ପାରି ଓରଡ଼ ଗ୍ରାମର କୃଷ୍ଣ ଚନ୍ଦ୍ର ସାଙ୍ଗ ହୋଇ ଯାଇଥିଲେ ଚାଷ ଜମିକୁ ସୁରକ୍ଷା ଦେବାପାଇଁ । ଚାଷ ଜମି ନିକଟରେ ଦୁହେଁ ବସିଥବା ବେଳେ ହାତୀ ପଲ ଆକ୍ରମଣ କରିଥିଲେ । ଫଳରେ ଚାଷ ଜମିରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା । କୃଷ୍ଣ ଚନ୍ଦ୍ର ଓ ଲକ୍ଷ୍ମୀଧର ଘରକୁ ଫେରିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ତାଙ୍କୁ ଖୋଜା ଖୋଜି କରିଥିଲେ । ଆଜି ସକାଳୁ ସେମାନଙ୍କ ମୃତଦେହ ଚାଷ ଜମିରେ ଲୋକେ ଠାବ କରିଥିଲେ। ଏନେଇ ଖବର ପାଇ ଟାଙ୍ଗୀ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଲୋକେ ବନ ବିଭାଗର ଅବହେଳାକୁ ଦାୟୀ କରି ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବି କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ - ସୁନ୍ଦରଗଡରେ ଥମୁନି ହାତୀ ଉପଦ୍ରବ, ଯୁବକଙ୍କୁ ଦଳିଦେଲା ଦନ୍ତା