ଓଡିଶା

odisha

ETV Bharat / state

World Elephant Day: ବନ କର୍ମଚାରୀଙ୍କ ପାଇଁ ୟୁନିଫର୍ମ ପଲିସି ଆଣିବାକୁ କେନ୍ଦ୍ରକୁ ରାଜ୍ୟର ପ୍ରସ୍ତାବ - ବନ କର୍ମଚାରୀଙ୍କ ପାଇଁ ୟୁନିଫର୍ମ ପଲିସି

ବିଶ୍ଵ ହାତୀ ଦିବସରେ ଉନ୍ମୋଚିତ ହେଲା ଦୁଇଟି ପୁସ୍ତକ । ଏଲିଫାଣ୍ଟ କରିଡର୍‌ସ୍‌ ଅଫ ଇଣ୍ଡିଆ ଏବଂ ଏଲିଫାଣ୍ଟ ରିଜର୍ଭ ଅଫ ଇଣ୍ଡିଆ ଉନ୍ମୋଚନ କଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ । ଅଧିକ ପଢ଼ନ୍ତୁ

World Elephant Day
World Elephant Day

By

Published : Aug 12, 2023, 10:21 PM IST

World Elephant Day

ଭୁବନେଶ୍ବର: ବିଶ୍ଵ ହାତୀ ଦିବସରେ ଉନ୍ମୋଚିତ ହେଲା ଦୁଇଟି ପୁସ୍ତକ । ଏହି ଦୁଇ ପୁସ୍ତକ ହେଉଛି ଏଲିଫାଣ୍ଟ କରିଡର୍‌ସ୍‌ ଅଫ ଇଣ୍ଡିଆ ଏବଂ ଏଲିଫାଣ୍ଟ ରିଜର୍ଭ ଅଫ ଇଣ୍ଡିଆ । ଭୁବନେଶ୍ଵରରେ ବିଶ୍ଵ ହାତୀ ଦିବସ ପାଳନ ଅବସରରେ ଏହି ଦୁଇ ପୁସ୍ତକର ଉନ୍ମୋଚନ କରିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ ଏବଂ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଦେଶରେ ହାତୀ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିଥିବା ବିଭିନ୍ନ ରାଜ୍ୟର ବନ କର୍ମଚାରୀମାନଙ୍କୁ ଗଜ ଗୌରବ ପୁରସ୍କାର ପ୍ରଦାନ କରାଯାଇଛି । ସେପଟେ ବନ କର୍ମଚାରୀଙ୍କ ଲାଗି ୟୁନିଫର୍ମ ପଲିସି ଆଣିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଲେ ରାଜ୍ୟ ସରକାର ।

ଏହି ଅବସରରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି, "ହାତୀ କରିଡର ଉପରେ ଓଭର ବ୍ରିଜ କରି ବିକାଶ କାର୍ଯ୍ୟ କରାଯାଉଛି । ଯେଉଁଥିପାଇଁ ରେଳବାଇ ଓ ଏନ୍‌ଏଚ୍‌ଏଆଇର ସହଯୋଗ ରହିଛି । ଦେଶରେ ପ୍ରୋଜେକ୍ଟ ଏଲିଫେଣ୍ଟ ସଫଳ ହୋଇଛି । ଆଗକୁ ପ୍ରୋଜେକ୍ଟ ଚିତା ମଧ୍ୟ ସଫଳ ହେବ ।" ସେହିଭଳି କେନ୍ଦ୍ର ଜଙ୍ଗଲ ରାଷ୍ଟ୍ର ମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ କହିଛନ୍ତି, "ଭାରତର ସାଂସ୍କୃତିକ ପ୍ରତୀକ ହେଉଛି ହାତୀ । ଭାରତ ହାତୀ ସଂରକ୍ଷଣରେ ପ୍ରମୁଖ ଭୂମିକା ବହନ କରୁଛି । ୨୦୧୭ ହାତୀ ଗଣନା ଅନୁସାରେ ପ୍ରାୟ ୩୦ ହଜାର ହାତୀ ଭାରତରେ ଅଛନ୍ତି । ହାତୀଙ୍କ ପାଇଁ ଦେଶରେ ୩୩ଟି ହାତୀ ରିଜର୍ଭ ରହିଛି । ପ୍ରତିବର୍ଷ ହାତୀ-ମଣିଷ ଲଢ଼େଇ ଯୋଗୁଁ ପ୍ରାୟ ୫୦୦ ଲୋକ ମରୁଥିବା ବେଳେ ଲୋକଙ୍କ ଆକ୍ରୋଶ ଯୋଗୁଁ ୧୦୦ ହାତୀ ମରୁଛନ୍ତି । ଆମେ ଏଥିପାଇଁ ଚିନ୍ତିତ । ଏହାକୁ କମ କରିବା ଏବେ ଭାରତ ସରକାରଙ୍କ ପାଇଁ ଗୋଟେ ବଡ଼ ଚ୍ୟାଲେଞ୍ଜ ।"

ଏହା ମଧ୍ୟ ପଢ଼ନ୍ତୁ...Elephant Day: ଜନବସତି ସହ ତାଳଦେଇ ବଢୁଛି ହାତୀ-ମଣିଷ ଲଢେଇ, ସୁରକ୍ଷା ପାଇଁ ଆହ୍ବାନ

ଅନ୍ୟପଟେ ସାରା ଦେଶରେ ବନ କର୍ମଚାରୀଙ୍କ ମୃତ୍ୟୁକାଳୀନ କ୍ଷତିପୂରଣ ଲାଗି ୟୁନିଫର୍ମ ପଲିସି ଆଣିବାକୁ ରାଜ୍ୟ ସରକାରଙ୍କ ତରଫରୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ । ସେ କହିଛନ୍ତି, "ଅନେକ ସମୟରେ ଶିକାରୀଙ୍କ ଆକ୍ରମଣରେ ବହୁ ବନ କର୍ମଚାରୀଙ୍କ ଜୀବନ ଯାଉଛି । କିନ୍ତୁ ସେମାନଙ୍କୁ ମୃତ୍ୟୁକାଳୀନ କ୍ଷତିପୂରଣ ଲାଗି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଆର୍ଥିକ ସହାୟତା ଦିଆଯାଉଛି । ବନ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଲାଗି ଏକ ପ୍ରକାର ମୃତ୍ୟୁକାଳୀନ କ୍ଷତିପୂରଣ ରାଶି ରହିବା ଉଚିତ୍ । ଏଥିଲାଗି କେନ୍ଦ୍ର ସରକାର ୟୁନିଫର୍ମ ପଲିସି ଆଣିବା ଆବଶ୍ୟକ । ହାତୀ ମଣିଷ ଲଢ଼େଇ ରାଜ୍ୟ ବନ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ଏଥିପାଇଁ ଏବେ ରାଜ୍ୟ ସରକାର ଗଜ ସାଥୀ, ଜନ ସୁରକ୍ଷା ଗଜ ରକ୍ଷା, ସୋଲାର ଫେନ୍ସିଂ ଭଳି ପଦକ୍ଷେପ ନେଇଛନ୍ତି ।" ଏହାଛଡ଼ା ରାଜ୍ୟରେ ହାତୀ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ପାଇଁ ୨୦୨୩ ଅକ୍ଟୋବରରୁ ରାଜ୍ୟରେ ଗଜ ଉତ୍ସବ ଅଭିଯାନ ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details