ଭୁବନେଶ୍ୱର:ପାର୍ବଣରେ ରାଜଧାନୀରେ ମାତିଲେ ପୋଷାକ ଚୋର । ରାଜଧାନୀର ଏକ ଡ୍ରେସ୍ ସୋରୁମକୁ ଲୁଟିଛନ୍ତି ଚୋର । ଚୋରି ପୋଷାକ ଅନ୍ୟତ୍ର ବିକ୍ରି କରୁଥିବା ସମୟରେ ମାଡ଼ି ବସିଲା ପୋଲିସ । ଖଣ୍ଡିଗରି ଥାନା ଅଞ୍ଚଳର 'ଏ ଏସ ଫେସନ' ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଚୋର ଜଣକ ଡୁମୁଡୁମାରେ ଅଞ୍ଚଳରେ ବିକ୍ରି କରୁଥିବା ବେଳେ କମିଶନରେଟ ପୋଲିସ ହାତରେ ଧରା ପଡିଛି । ଅଭିଯୁକ୍ତ ସୋମନାଥ ବେହେରା ପାଖରୁ ଚୋରି ଜିନିଷ ଜବତ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ସୁଚନାଯୋଗ୍ୟ ଗତ ୧୯ତାରିଖରେ ଖଣ୍ଡିଗରି ଥାନା ଆଇଗିଣିଆ, ଆଳୁଗଦି ମାର୍କେଟ ଅଞ୍ଚଳରେ ରହିଥିବା 'ଏ ଏସ ଫେସନ'ନାମକ ଡ୍ରେସ ଦୋକାନରୁ ଚୋରି ହୋଇଥିଲା । ଉକ୍ତ ଦୋକାନର ମାଲିକ ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଉକ୍ତ ଦୋକାନର କବାଟ ଭାଙ୍ଗା ଚୋରି ହୋଇଥିବା ଦେଖିବାକୁ ମିଳିଥିଲା । କିଛି ଦୁର୍ବୃତ୍ତ ଦୋକାନରେ ପଶି ବିକ୍ରି ପାଇଁ ଥିବା ପୋଷାକ, ବ୍ୟାଗ, ଚପଲ ଆଦି ଚୋରି କରିଥିଲେ । ପୋଲିସ ଏହି ଘଟଣାରେ ପାରିପାର୍ଶିକ ପ୍ରମାଣ ସଂଗ୍ରହ କରିଥିଲା । ପରେ ଏହି ଘଟଣାରେ ଚୋରି ହୋଇଥିବା ଜିନିଷର କିଛି ନମୁନା ସଂଗ୍ରହ କରି ପୋଲିସ ତଦନ୍ତ କରିଥିଲା ।
ଏହା ମଧ୍ୟ ପଢନ୍ତୁ....ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍