ଭୁବନେଶ୍ବର:ଭ୍ୟାନିଟି ଝାମ୍ପି ଆତଙ୍କ ରଚିଥିଲେ । ରାସ୍ତା ଘାଟରୁ ଫୋନ ଛଡାଇ ଲୋକଙ୍କ ନିଦ ହଜାଇଥିଲେ । ସହରରେ ଖେଳିଥିଲା ଏମାନଙ୍କ ଆତଙ୍କ । ଶେଷରେ କମିଶନରେଟ ହାତରେ ଧରାପଡ଼ିଲେ ଦୁଇ କୁଖ୍ୟାତ ଅପରାଧୀ । ଭୁବନେଶ୍ବର ସ୍ଥିତ ୬ ନମ୍ବର ନିକଟରୁ ଦୁଇ କୁଖ୍ୟାତ ଅପରାଧୀ ସୁଶାନ୍ତ ମହାରଣା ଓରଫ ସୁଶା ଓ ତ୍ରିଲୋଚନ ନାଥ ଗିରଫ ହୋଇଛି ।
ଗିରଫ ଅଭିଯୁକ୍ତ ସୁଶା ବିରୋଧରେ ୧୮ଟି ମାମଲା ଥିବାବେଳେ ତ୍ରିଲୋଚନ ବିରୋଧରେ ୧୫ଟି ମାମଲା ରହିଛି । ସେମାନଙ୍କ ଠାରୁ ୫ଟି ମୋବାଇଲ ଫୋନ, ୨୦ ଗ୍ରାମ ସୁନା ଗହଣା, ଏଟିଏମ ଓ ଭ୍ୟାନିଟି ବ୍ୟାଗ ଜବତ କରିଛି ପୋଲିସ । କିଛିଦିନ ପୂର୍ବେ ଧିରେନ ପ୍ରଧାନ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ନେଇ ଯିବାବେଳେ ରାଜଭବନ ପାଖ ଫ୍ୟାବ୍ ଇଣ୍ଡିଆ ପାଖରେ ହଠାତ୍ ତାଙ୍କ ପତ୍ନୀଙ୍କ ହାତରୁ ଦୁହେଁ ଭ୍ୟାନିଟି ବ୍ୟାଗ ଝାମ୍ପି ନେଇଥିଲେ । ଏନେଇ ଧିରେନ ପ୍ରଧାନ ଥାନାରେ ଅଭିଯୋଗ କରିଥିଲେ । ବ୍ୟାଗରେ ସୁନା, ଏଟିଏମ ଓ ଫୋନ ସହ କିଛି ଟଙ୍କା ଥିଲା । ଏହି ଦୁର୍ଦ୍ଦାନ୍ତ ଅପରାଧୀର ସୂଚନା ମିଳିବା ପରେ ଏସଆଇ ନିରଞ୍ଜନ ବେହେରା ଓ ଉମେଶ ସ୍ବାଇଁ ମିଳିତ ଭାବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲେ । ସେମାନଙ୍କୁ ଗୋଡ଼ାଇବା ସମୟରେ ଭୁବନେଶ୍ବର ସ୍ଥିତ ୬ ନମ୍ବର ନିକଟରେ ଥିବା ଏକ ଗୋବର ଗଦାରେ ପଡ଼ିଯାଇଥିଲେ । ଫଳରେ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଛି ।